କବିତା

ମୁଁ ନିରୁଦ୍ଦିଷ୍ଟ

Anjana Satpathy's odia poem Mun Niruddishta

ଜାଣିଛ କି ତୁମେ ?
ଏ ଜୀବନ ସଂଗ୍ରାମରେ,
ଏକାକୀ ସୈନିକ ମୁଁ,

ମୁଁ ନିରୁଦ୍ଦିଷ୍ଟ

ନୀଳ ଆକାଶର ସୀମାହୀନ ବକ୍ଷରେ,
ନିଃସଙ୍ଗ ବିହଙ୍ଗଟିଏ ମୁଁ,
ଭାବହୀନ, ଆବେଗ ବିହୀନ,
ଅମାପ ଶୂନ୍ୟତା ମଧ୍ୟରେ
ମୁଁ ନିରୁଦ୍ଦିଷ୍ଟ । (୧)

ହେ ଈଶ୍ୱର !
ମୋ ନିରବ ଅଶ୍ରୁରେ,
ମାପିନିଅ ମୋର କାରୁଣ୍ୟ ଅସହାୟତା,
ଥରେ ଖାଲି ଦେଖିଯାଅ,
ମୋର ଐକାନ୍ତିକ ଇଚ୍ଛାମାନଙ୍କୁ
ଆହୁତି ଦେଇ,
ଦଗ୍ଧ ହୃଦୟରେ,
ମୁଁ କେମିତି ଭସ୍ମପ୍ରାୟ ! (୨)

କେବେ ଶୁଣିଛ କି ?
ହୃଦୟର ରୁଦ୍ଧଦ୍ୱାର ଉନ୍ମୁକ୍ତ ହେଲେ,
ଜୀବନ୍ୟାସ ପାଇ, ମୋର ଅସୁମାରୀ କଳ୍ପନା
ତଥା ବହୁ ଆକାଂକ୍ଷିତ ସ୍ୱପ୍ନମାନଙ୍କର କାହାଣୀ,
ତନ୍ଦ୍ରା ଯେବେ ତୁଟେ,
ବିକ୍ଷିପ୍ତ ଓ ବିପର୍ଯ୍ୟସ୍ତ ଆଶାମାନଙ୍କୁ ସାଉଁଟି ନେଇ,
ପୁଣି ଥରେ ନିଷ୍ଠୁର ଭାବେ,
ବନ୍ଦୀ କରିବାର ପ୍ରଚେଷ୍ଟାରେ,
ମୁଁ କେମିତି କ୍ଷତବିକ୍ଷତ ? (୩)

ଜାଣିଛ କି ତୁମେ ?
ଏ ଜୀବନ ସଂଗ୍ରାମରେ,
ଏକାକୀ ସୈନିକ ମୁଁ,
ଭୟ, ଲଜ୍ଜା ତଥା ଆଶଙ୍କାର ବର୍ମରେ ଆବୃତ,
ପ୍ରଗଳ୍ଭ ଇଚ୍ଛାମାନଙ୍କର, ଅସଂଖ୍ୟ ସେନାନୀ ସାଥେ,
ମୁଁ କେମିତି
ଅନବରତ ଯୁଦ୍ଧରତ ? (୪)

ଲୋକପ୍ରିୟ ଲେଖା

To Top