କବିତା

ମୁଠା ମୁଠା ଟଙ୍କା ଥିଲା ମୋ ପାଖରେ…

Anupam Behera's odia poem Mutha Mutha Tankaa Thilaa Mo Paakhare

ସବୁକିଛି ସାଇତି ହୋଇଥିଲା ସ୍ମୃତିର ଗନ୍ତାଘରେ…
କିଛି ମନେ ନ ଥିଲା । ୧୧

ମୁଠା ମୁଠା ଟଙ୍କା ଥିଲା ମୋ ପାଖରେ...

ମୁଠା ମୁଠା ଟଙ୍କା ଥିଲା ମୋ ପାଖରେ…
ଧନ ନ ଥିଲା । ୧
ନରମ ନରମ ଗଦି ପଡିଥିଲା ମୋ ଶୋଇବା ଘରେ…
ନିଦ ନ ଥିଲା । ୨
ଅନେକ ଲୋକଙ୍କର ସଂପର୍କ ଥିଲା ମୋ ସାଥେ…
ବନ୍ଧୁତା ନ ଥିଲା । ୩
ନାନାଦି ବ୍ୟଞ୍ଜନ ରନ୍ଧାଥିଲା ମୋ ପାଇଁ…
ଭୋକ ନ ଥିଲା । ୪
ବିଶାଳ ପ୍ରାସାଦ ଥିଲା ମୋର ରହିବାକୁ…
ଖାଲି ପଡିଥିଲା । ୫
ସମସ୍ତେ ହାତ ଯୋଡୁଥିଲେ ମୋତେ…
ସମ୍ମାନ ନ ଥିଲା । ୬
ବଞ୍ଚିବାକୁ ଶରୀରଟିଏ ଥିଲା ମୋ ପାଖରେ…
ଆତ୍ମା ନ ଥିଲା । ୭
ଅସରନ୍ତି ଜ୍ଞାନର ଭଣ୍ଡାର ଥିଲା ମୋ ପାଶେ…
ଉପଯୋଗ ନ ଥିଲା । ୮
ତାରାରେ ସୁସଜ୍ଜିତ ଥିଲା ନୀଳ ଆକାଶଟା…
ଜହ୍ନ ନ ଥିଲା । ୯
ଶାନ୍ତ ସ୍ନିଗ୍ଧ ଶୀତଳ ଥିଲା ବାତାବରଣ…
ମାଦକତା ନ ଥିଲା । ୧୦
ସବୁକିଛି ସାଇତି ହୋଇଥିଲା ସ୍ମୃତିର ଗନ୍ତାଘରେ…
କିଛି ମନେ ନ ଥିଲା । ୧୧
ଆକର୍ଷଣୀୟ ଲାଗୁଥିଲା ପୂଜା ମଣ୍ଡପଟି…
ଦେବୀ ପ୍ରତିମା ନ ଥିଲା । ୧୨

ବଞ୍ଚିବାକୁ ବାକିଥିଲା ଅନେକ ବୟସ…
ଯୌବନ ନ ଥିଲା । ୧୩
ଚାଲିବାକୁ ବାକିଥିଲା ଆହୁରି ଅନେକ ଦୂର…
ରାସ୍ତା ନ ଥିଲା ।୧୪
ଘୋଟିଥିଲା ଆକାଶରେ କଳାହାଣ୍ଡିଆ ମେଘ…
ବର୍ଷା ନ ଥିଲା । ୧୫
ଛାତି ଫାଟି ପଡୁଥିଲା ଦୁଃଖରେ…
କୋହ ନ ଥିଲା । ୧୬
ଆନନ୍ଦରେ ଗଦ୍ ଗଦ୍ ହେଉଥିଲା ମନଟା…
ହସ ନ ଥିଲା । ୧୭
ଇଚ୍ଛାଥିଲା କାଟିବାକୁ ଆଉ କିଛି ମୁହୂର୍ତ୍ତ…
ସମୟ ନ ଥିଲା । ୧୮
ବଦଳେଇବାକୁ ଥିଲା ବହୁତ କୁଅଭ୍ୟାସ…
ମାନସିକତା ନ ଥିଲା । ୧୯
ଇଚ୍ଛାଥିଲା ଆଉ ଟିକେ ଭଲ ପାଇବାକୁ…
ପ୍ରେମ ନ ଥିଲା । ୨୦
ଦେଖିବାକୁ ବାକିଥିଲା ଅନେକ ସ୍ୱପ୍ନ…
ନିଦ ନ ଥିଲା । ୨୧
ରାତି ବାକିଥିଲା ମୋ ପାଖରେ ଆହୁରି ଅନେକ…
ସ୍ୱପ୍ନ ନ ଥିଲା । ୨୨
ବହୁତ କିଛି ଇଚ୍ଛାଥିଲା ଲେଖିବାକୁ…
ଶବ୍ଦ ନ ଥିଲା । ୨୩

 

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top