କବିତା

ନଦୀ ଖୋଜେ ସମୁଦ୍ର

Annapurna Mohanty's odia poem Nadee Khoje Samudra

ସେଇ ବିଶ୍ୱାସରେ
ମହକିତ କରି ସାରିଛି
ଧାଇଁବାର ଅନିଶ୍ୱାସୀପଣ
ପ୍ରତିଦ୍ୱନ୍ଦୀ ନୁହେଁ
ନିଜ ସ’ ନିଜର ପ୍ରତିଯୋଗିତାରେ
ଅହରହ ମୁଖର ମିଳନ ।

ନଦୀ ଖୋଜେ ସମୁଦ୍ର

ନଦୀ ଖୋଜେ ସମୁଦ୍ର
ସମୁଦ୍ର ଖୋଜୁଥାଏ ବେଳା
ଜାଣି ଜାଣି ହାରିଯାଏ
କେତେ ନଦୀ
ହାରିବାରେ ଜିତିବା ଲୁଚିଥାଏ
ପ୍ରିୟଙ୍କୁ ଭେଟିବା ବଡ଼କଥା ନୁହେଁ
ବଡ଼କଥା ଭେଟିବା ଲୋଭରେ
ଚାହିଁବା ଧାଇଁବା ।

ସେଇ ବିଶ୍ୱାସରେ
ମହକିତ କରି ସାରିଛି
ଧାଇଁବାର ଅନିଶ୍ୱାସୀପଣ
ପ୍ରତିଦ୍ୱନ୍ଦୀ ନୁହେଁ
ନିଜ ସ’ ନିଜର ପ୍ରତିଯୋଗିତାରେ
ଅହରହ ମୁଖର ମିଳନ ।

ଖୋଜିବାରେ ନିଶାରେ
ଡେଇଁଛି ବନ୍ଧବାଡ଼
ବାରଣର ଭଳି ଭଳି ଗାର
ମାଟି ମୟୂଖ, ପଥର ପାହାଡ଼
ପବନ ଆସିବ ଆସୁ
ଆସୁ ସୁନାମି ଚମକ
ତୃଷ୍ଣା ଧରି ଆକଣ୍ଠ
ଧାଉଁଥାଏ କାଳକାଳ ନଦୀ
ମେଣ୍ଟିବ, ଜୀବନ ଗୋଟାକ ଶୋଷ ।

ଜାଣି ବି’ ଅଜଣା ନଦୀ
ମିଶିବାର ପ୍ରେମରେ ବିଭୋର
କାହା ତୃଷ୍ଣା ମେଣ୍ଟାଇଛି
ଏଯାଏ ସମୁଦ୍ର ?

କାହାକୁ ଦେଇଚି ମନ
କେବଳ ଦେଖାଉଥାଏ
ଅକୁଣ୍ଠିତ ପ୍ରାପ୍ତିର ସ୍ୱୀକୃତି
ତଥାପି ଧାଉଁଥାଏ ନଦୀ
ସାନ୍ନିଧ୍ୟ ମିଳିଲେ ମିଳୁ
ନ ମିଳିଲେ କ୍ଷୋଭ ନାହିଁ
ପାଇବା ନିଶାରେ
ସାରାକାଳ ନଦୀ ତ ପାଗଳ ! !

ସାମନା କରିବାର
କରି ଶିଖିବାର
ଇଚ୍ଛା ତ, ଇଷ୍ଟ ନିଷ୍ଠା ପରି
ସମୁଦ୍ର ରହୁ ସମୁଦ୍ର ହୋଇ
ଧାଉଁ ନଦୀ ଚିରଦିନ
ପ୍ରିୟ ସାଥେ ହଜିଯିବା ପାଇଁ ।।

ଲୋକପ୍ରିୟ ଲେଖା

To Top