କବିତା

ନର୍କ ନିଶୁଣୀ

Dr Sourya Acharya's Odia Poem NARKA NISHUNI

ଶତାବ୍ଦୀର ରାବଣ ମୁଁ ! !
ହୀନ, ହିଂସ୍ର କଳିଯୁଗର ଅସୁର,
ସ୍ୱପ୍ନ ଅସୀମ. . . ପ୍ରାରବ୍ଧ ନର୍କ,
ସ୍ୱର୍ଗ ଲିପ୍ସା ନାହିଁ ମୋର. . . ମୁଁ ନର୍କ ପ୍ରେମୀ,
ଗଢ଼ି ଚାଲିଛି. . . ନର୍କ ନିଶୁଣୀ ।

ନର୍କ ନିଶୁଣୀ

ପାତାଳ ପାତାଳ ଓହ୍ଲେଇ ଚାଲିଛି,
ପାଦ ଥକୁନାହିଁ, ନର୍କ ସରୁନି,
ଗତି ତୀବ୍ରତର. . . ମନ ଉଲ୍ଲସିତ,
ଅସରନ୍ତି ତଳ ନର୍କ ନିଶୁଣୀ ।

ଶତାବ୍ଦୀର ରାବଣ ମୁଁ ! !
ହୀନ, ହିଂସ୍ର କଳିଯୁଗର ଅସୁର,
ସ୍ୱପ୍ନ ଅସୀମ. . . ପ୍ରାରବ୍ଧ ନର୍କ,
ସ୍ୱର୍ଗ ଲିପ୍ସା ନାହିଁ ମୋର. . .  ମୁଁ ନର୍କ ପ୍ରେମୀ,
ଗଢ଼ି ଚାଲିଛି. . . ନର୍କ ନିଶୁଣୀ ।

ପାପ ପରେ ପାପ. . . ଭୋକ ମରେ ନାହିଁ,
ବିଭତ୍ସ ଏ ପ୍ରାଣ କୁଣ୍ଢେମୋଟ,
ସହସ୍ର ବୀର୍ଯ୍ୟ ମୁଁ, ଅନ୍ତ ନାହିଁ ମୋର,
ତ୍ରାହି ପାଇବନି ସୂଚ୍ୟଗ୍ର ମେଦିନୀ ।

ଗିଳିବି ସୂର୍ଯ୍ୟ. . . ଜାଳିବି ଚନ୍ଦ୍ର,
ଛାତି ଚିରି ବି ମୁଁ ମହାବିଶ୍ୱର. . .
ଅଥୟ କରିବି ମହାସମୁଦ୍ର ତଳ,
ଶୁଣିବି ଆର୍ତ୍ତନାଦ ମୃତ ସୃଷ୍ଟିର ! !

ଅସୀମ ଦର୍ପ. . . ଅସୀମ ଗର୍ବ,
ଅସଂଖ୍ୟ କୌରବ ମାନ ମୋର
ଅହଂକାର ମୋର ଅଟ୍ଟହାସ୍ୟ କରେ
ତ୍ରିଭୁବନ ଆଜି କି ନାରଖାର !

କାହିଁ ଗଲ ରାମ ! . . . କେଉଁଠି ହେ କୃଷ୍ଣ ! !
କଳିଯୁଗ ଆଜି କଳଙ୍କମଣି,
କୋଟିଏ ରାବଣ. . . କୋଟିଏ କଂସ ମୁଁ,
ଗଢ଼ି ଚାଲିଅଛି ନର୍କ ନିଶୁଣୀ !

ତୁମ ମନ ଗଢ଼ା କୋକୁଆ ନୁହେଁ ମୁଁ,
କାଳ ମଣିଷର ନଗ୍ନ କାହାଣୀ. . .
ତୁମ ସୃଷ୍ଟି ଆଜି କରେ ଆର୍ତ୍ତନାଦ,
ଅତ୍ୟାଚାରୀ ତ . . . ଦୁଃଖୀ ରଙ୍କୁଣି ।

ଜଗତ ଉଦ୍ଧାର କାଳ ଆସିଗଲା,
ଅବତାର ମାଗେ ଏ ଲୀଳାଭୂମି,
ଚାରିଆଡ଼େ ନର୍କ. . . ଗ୍ଲାନି ଏ “ଭାରତେ” !!
ଓହ୍ଲେଇ ଚାଲିଛି. . . ନର୍କ ନିଶୁଣୀ !

ଲୋକପ୍ରିୟ ଲେଖା

To Top