କବିତା

ନିଦ ଆସୁନି

Manasa Ranjan Subudhi's odia poem Nida Aasuni

ମଣିଷ ମାତର ହୋଇଣ କାତର
‘ଧନଜନ ଆୟୁ ଦେଇ ସୁଖୀ କର’
ମାଗେ ପ୍ରଭୁ ପାଦେ ଥାଇ ଅବସାଦେ
‘ତଥାସ୍ତୁ’ କହନ୍ତି ପ୍ରଭୁ ଶୋଇ ନିଦେ ।

ନିଦ ଆସୁନି

ରୋଗୀ କହେ ମତେ ନିଦ ଯେ ଆସୁନି
ସାରା ରାତି ଆଖି ପଲକ ପଡ଼ୁନି
ଯମ ଦରଶନେ ହୋଇଛି ମୁଁ ଛିଡ଼ା
ଆସନ୍ତା କି ନିଦ ଭୁଲି ଯା’ନ୍ତି ପୀଡ଼ା ।

ଭୋଗୀ କହେ ମତେ ନିଦ ଯେ ଆସୁନି
ନିମିତ୍ତ ପ୍ରତୀତ ହୁଅଇ ରଜନୀ
ମଦିରା ଇଶାରେ ସଙ୍ଗିନୀସାହାରେ
ରାତି କରେ ସାଥି ଢାଳି ବିତ୍ତ ଜଳେ ।

ବିରହିକହେ ମତେ ନିଦ ଯେ ଆସୁନି
ରାତି ସାରା ଜଳେ ବିରହ ଅଗନି
ବାନ୍ଧିଛି ମୁଁ ଆଶା ଆଣିବ କି ଊଷା
ମିଳନର ଯୋଗ ମିଟାଇ ନିରାଶା ।

ପ୍ରେମିକହେ ମତେ ନିଦ ଯେ ଆସୁନି
ନେଇଛି ତରୁଣୀମନ ମୋର କିଣି
ତା’ ସଂଗତ ଲାଭ ମନେ ଅଭିଳାଷି
ଆଖିରେ ଆଖିରେ ବିତିଯାଏ ନିଶି ।

ନିର୍ଧନକହେ ମତେ ନିଦ ଯେ ଆସୁନି
ଅଭାବେ ସ୍ୱଭାବ ହୋଇଲାଣି ହାନି
ଶାଶୁଘର ତଡ଼ା, ଡାକତର ଫେରା
ଝିଅର କଷଣ ମା’ବାପ ବୁଢ଼ା ।

ଧନିକହେ ମତେ ନିଦ ଯେ ଆସୁନି
ସିନ୍ଧୁକର ତାଲା ଫିଟି ତ ଯାଇନି !
ଶ୍ରମିକ ଭତ୍ତାକୁ ଆୟ ବ୍ୟୟ ଚିନ୍ତା
ବଣିଜ ବେପାର ନୁହେଁ ଛୋଟ କଥା ।

ମଣିଷ ମାତର ହୋଇଣ କାତର
‘ଧନଜନ ଆୟୁ ଦେଇ ସୁଖୀ କର’
ମାଗେ ପ୍ରଭୁ ପାଦେ ଥାଇ ଅବସାଦେ
‘ତଥାସ୍ତୁ’ କହନ୍ତି ପ୍ରଭୁ ଶୋଇ ନିଦେ ।

ଲୋକପ୍ରିୟ ଲେଖା

To Top