କବିତା

ନିଦର ବୟସ

Naresh Kumar Behera's odia poem Nidara Bayasa

କାଶ! ନିଦର ବୟସ ଥାନ୍ତା,
ସୀମିତ ଶେଯ ଥାନ୍ତା
ଶେଯର ବି ବୟସ ଥାନ୍ତା
ବର୍ଷ ପରେ ବର୍ଷ ବିତିଗଲେ

ନିଦର ବୟସ

କାଶ! ନିଦର ବୟସ ଥାନ୍ତା,
ଜୀବନରେ ଥରେ ମାତ୍ର ଆସି
ଯା’ନ୍ତା ଚାଲି…
ଏମିତି ପ୍ରତିଦିନିଆ
କର୍ମରେ ବାଧା
ଶରୀରକୁ ଆଳସ୍ୟ
ଲେଖିବାରେ ବିରତି
ନ’ଥାନ୍ତା…

କାଶ! ନିଦର ବୟସ ଥାନ୍ତା,
ମୁଁ ତୁମକୁ ପ୍ରତିଟି ମୁହୂର୍ତ୍ତରେ
ସ୍ମରଣରେ, ସ୍ପର୍ଶରେ, ଦୃଶ୍ୟରେ
ମୋର ତୁମକୁ
ଅସୀମ ତୃପ୍ତିରେ
ବାନ୍ଧିଥାନ୍ତି, ତୋଳିଥାନ୍ତି…
କଲମ ଓ କାଗଜରେ
ହେଉଥିବା ବିରତି
ଶବ୍ଦ ଓ ଲେଖନୀର ସୃଷ୍ଟିରେ
ଉନ୍ମାଦନାରେ, ଚିତ୍ରଣରେ
ବାନ୍ଧୁଥିବା ବନ୍ଧସବୁ
ବାରମ୍ବାର
ଅର୍ଥହୀନ ହୁଅନ୍ତାନି…

କାଶ! ନିଦର ବୟସ ଥାନ୍ତା,
ସୀମିତ ଶେଯ ଥାନ୍ତା
ଶେଯର ବି ବୟସ ଥାନ୍ତା
ବର୍ଷ ପରେ ବର୍ଷ ବିତିଗଲେ
ସେ ତାହାର ଠିକଣା, ପଚାରନ୍ତା
ସେ କୋମଳ ସ୍ପର୍ଶ ଓ
ସୁଗନ୍ଧ
ମନକୁ ପୁଣି ଥରେ
ଆତ୍ମୀୟତାର ଆଭା
ଦର୍ଶାଇ ଥାନ୍ତା…

କାଶ! ନିଦର ବୟସ ଥାନ୍ତା,
ଆଉ, ମୁଁ ସାରା ଦିନ
ସାରା ରାତି, ଏମିତି
ତୁମ ପାଇଁ ଲେଖୁଥାନ୍ତି
ଏ ସବୁ,
ପୂଜିଥାନ୍ତି ତୁମ କାମଦେବଙ୍କୁ,
ହଜିଯା’ନ୍ତ ତୁମେ – ମୋ
ଅନିରୁଦ୍ଧ ପ୍ରେମେ…
ବାହୁବନ୍ଧନରେ…
ଏଇ ‘ସାଗର’ର ଉତ୍ତାଳ ଲହଡିରେ ।

ଲୋକପ୍ରିୟ ଲେଖା

To Top