କବିତା

ନିଃସ୍ୱ ମଣିଷ

Matrudatta Mohanty's odia poem Nihswa Manisha

ସେ ନିଗାଡ଼ିଛନ୍ତି କେତେ ଯେ ଲହୁ
ତାଙ୍କ ଶରୀରରୁ
ତା’ର ହିସାବ ସେ ଜାଣନ୍ତିନି ।

ନିଃସ୍ୱ ମଣିଷ

ମୋ ସ୍ୱପ୍ନକୁ ସତ କରିବା ପାଇଁ
ଯିଏ ନିଜର ସବୁ ସ୍ୱପ୍ନକୁ
ନିଜ ପାଦରେ ଦଳି ଦେଇଛନ୍ତି,
ଅଗଣିତ ରାତି ସବୁ ନ ଶୋଇ କାଟିଛନ୍ତି,
ଯିଏ ମୋ ପେଟରେ ଦାନା ମୁଠେ ଦେବା ପାଇଁ
ନିଜ ପେଟ ଚାଖଣ୍ଡକୁ
ନିଜ ହାତେ ମାରି ଦେଇଛନ୍ତି,
ମୋ ମୁହଁରେ ହସ ସବୁ ବନ୍ଧା ପକାଇଛନ୍ତି
ଅନ୍ୟ କାହା ପାଖରେ,
ସେ ମୋ ବାପା ।

ସେ ବଞ୍ଚୁଛନ୍ତି ପ୍ରତ୍ୟେକ ମୁହୂର୍ତ୍ତ
ମୋତେ ଟିକେ ଜୀବନ ଦେବା ପାଇଁ,
ସେ ଅନ୍ଧାରରେ ବର୍ଷ ବର୍ଷ ରହିଛନ୍ତି
ମୋତେ ଟିକେ ଆଲୁଅ ଦେବା ପାଇଁ,
ମୋର ପ୍ରତ୍ୟେକ ଲୁହବିନ୍ଦୁକୁ ଅଟକାଇବା ପାଇଁ ।

ସେ ନିଗାଡ଼ିଛନ୍ତି କେତେ ଯେ ଲହୁ
ତାଙ୍କ ଶରୀରରୁ
ତା’ର ହିସାବ ସେ ଜାଣନ୍ତିନି ।

ମୋ ରକ୍ତ ମାଂସ ଦେହକୁ
ବଜ୍ର ପରି କରିବାକୁ ସେ ନିଜ ରକ୍ତକୁ ପାଣି କରି
ରାତି ଦିନ ଧାଇଁଛନ୍ତି
କେଉଁ ଏକ ଅଜଣା ଲକ୍ଷ୍ୟ ଆଡ଼କୁ ।

ମୋ ପାଇଁ ତାଙ୍କ ଆଖିରେ ଆଖିଏ ସ୍ୱପ୍ନ,
ମୁଁ କିନ୍ତୁ ଆଜି ବି ସ୍ୱପ୍ନ ଗୋଟେ ତାଙ୍କ ପାଇଁ ।
ମୋ ପାଇଁ ଲୁଟେଇ ଥିବା
ତାଙ୍କ ସ୍ନେହ ଭଲ ପାଇବା
ତ୍ୟାଗ ଓ ସମୟ ସବୁ ପାଇଁ
ସେ ଆଜି ନିହାତି ନିଃସ୍ୱ ।

ମୁଁ ଯେବେ ପ୍ରଶ୍ନ କରେ ମୋ ନିଜକୁ ଏକାନ୍ତରେ
ମୁଁ କ’ଣ ପାରିବି ତାଙ୍କ ଫାଙ୍କା ହୃଦୟକୁ ଭରି
ମେଞ୍ଚାଏ ହେଉ ଅବା କେଞ୍ଚାଏ ହେଉ
ତାଙ୍କ ସ୍ୱପ୍ନ ସତ କରି ।

ତଥାପି ସେ ବାପା
ବିନା ପ୍ରତ୍ୟାଶାରେ ହଜେଇ ଦେଇଥିଲେ
ନିଜର ସବୁ କିଛିକୁ ମୋ ପାଇଁ ।

ଲୋକପ୍ରିୟ ଲେଖା

To Top