କବିତା

ନୂଆଁଖାଇ

Kanishtha Kishore Sahu's odia poem Nooaakhaai

ନୂଆଁଖାଇଠାରୁ ବାସି ତିଆସି
ତା’ପର ପରର ଦିନ,
ବଳିଯାଇଥିବା ଖାଦ୍ୟ ଆକଣ୍ଠ
ଖାଇଥାଏ ରାତିଦିନ ।

ନୂଆଁଖାଇ

ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ
ପଡ଼େ ଆମ ନୂଆଁଖାଇ,
ବିନାୟକ ପୂଜା ପଛ ଦିନରେ
ବର୍ଷକୁ ଥରେ ଆସଇ ।

ଘର ଲିପାପୋଛା କି ଜାମାକିଣା
ହୋଇଥାଏ ସବା ଆଗ,
ବାସନ ବସନ ସଫାସଫିରେ
ଥାଏ ଅନେକ ସରାଗ ।

ଆଗରୁ କୁରେ ବା ମହୁଲପତ୍ର
ଘରେ ଆଣିଥାନ୍ତି ରଖି,
ପୂଜାଲାଗି ଘି’ ମହୁ ନୂଆଁଧାନ
ରଖନ୍ତି କେତେ ପରଖି ।

ସକାଳେ ସେଦିନ ଛୋଟରୁ ବଡ଼
ସ୍ନାନାଦି କର୍ମ କରନ୍ତି,
ବର୍ଷନ୍ତରେ ପରିବାର ସଦସ୍ୟ
ମିଳି ସତେଜ ଲାଗନ୍ତି ।

ପିତୃପୁରୁଷଙ୍କୁ ସମ୍ମାନ ଆଗେ
ଦେଇଥାନ୍ତି ବୟୋଜ୍ୟେଷ୍ଠ,
ମାଟି ଲକ୍ଷ୍ମୀ ଇଷ୍ଟଦେବୀଙ୍କୁ ପରେ
ସମୟ ନ କରି ନଷ୍ଟ ।

ପୂଜାକର୍ମ ଅନ୍ତେ ବସନ୍ତି ସର୍ବେ
ପୂର୍ବ ଦିଗେ ମୁହଁ କରି,
ସ୍ୱାଦିଷ୍ଟ ପ୍ରସାଦ ମହାଆନନ୍ଦେ
ଖାଇଥାନ୍ତି ପେଟ ଭରି ।

ଖାଇସାରି ବଡ଼ମାନଙ୍କୁ ମୁଣ୍ଡିଆ
ମାରିଥାନ୍ତି ଛୋଟମାନେ,
“ଜିଁ ଥିଲେ ଆର ବର୍ଷ ଦେଖାହେମା”
କହନ୍ତି ଭେଟିଲା ସ୍ଥାନେ ।

ଉପର ଓଳିରୁ ଗାଁର ସମସ୍ତେ
ମନ୍ଦିରେ ଠୁଳ ହୁଅନ୍ତି,
“ନୂଆଁଖାଇ ଜୁହାର୍ ଭେଟ୍” ହୋଇ
ନାଚଗୀତ କରିଥାନ୍ତି ।

ହର୍ଷ ଉଲ୍ଲାସରେ ରାତିଟା ପାହି
ସକାଳ ଯେମିତି ହୁଏ,
ଆରିଷା କାକରା ମାଂସ ଝୋଳରେ
ପ୍ରତି ଘର ବାସି ଥାଏ ।

ପଶ୍ଚିମ ଓଡ଼ିଶା ଏ ପର୍ବ ଯୋଗୁଁ
ଦେଶ ବିଦେଶରେ ଖ୍ୟାତ,
ସରଳ ଗ୍ରାମୀଣ ନିଷ୍ପ୍ରାଣ ଦେହେ
ଖେଳାଇ ଦିଏ ବିଦ୍ୟୁତ ।

ପ୍ରବାସୀ ବିଦେଶୁ ଧାଇଁ ଆସନ୍ତି
ନୂଆଁଖାଇ ମାୟାମୋହେ,
ଆସି ନ ପାରିଲେ ଦୁଃଖ କରନ୍ତି
ନଥିବା ଯୋଗୁଁ ସ୍ୱ-ଦେହେ ।

ନୂଆଁଖାଇଠାରୁ ବାସି ତିଆସି
ତା’ପର ପରର ଦିନ,
ବଳିଯାଇଥିବା ଖାଦ୍ୟ ଆକଣ୍ଠ
ଖାଇଥାଏ ରାତିଦିନ ।

କୃଷିଭିତ୍ତିକ ଏ ଗଣ ପରବ
ହର୍ଷ ଉଲ୍ଲାସରେ ଭରା,
ଧର୍ମ ସଂସ୍କୃତିର ମଧୁର ସ୍ମୃତି
ଭରିଥାଏ ବର୍ଷସାରା ।

ଲୋକପ୍ରିୟ ଲେଖା

To Top