କବିତା

ଓଢ଼ଣୀ

Minati Pradhan's odia poem Odhani

ଓଢ଼ଣୀ,
ପଡ଼ିଲେ ଦେହେ,
ସାଥେ ଆସେ ଲଜ୍ଜ୍ୟା ଓ ଯୌବନ ।
ଯୋଡ଼ା ଯୋଡ଼ା କୌତୁହଳୀ ଆଖିର କୁଞ୍ଚନ,
କେବେ ପ୍ରଲୋଭନ ।

ଓଢ଼ଣୀ

ଓଢ଼ଣୀ,
ପାଞ୍ଚହାତ ଲମ୍ବର କପଡ଼ା,
ବୁଣା କେତେ ଅବେଗ ସୂତାରେ ।
ଅସରନ୍ତି କାହାଣୀ ଛପେ
ଏମ୍ବ୍ରଏଡ଼ରୀର ଛାପରେ ।

ଓଢ଼ଣୀ,
ପଡ଼ିଲେ ଦେହେ,
ସାଥେ ଆସେ ଲଜ୍ଜ୍ୟା ଓ ଯୌବନ ।
ଯୋଡ଼ା ଯୋଡ଼ା କୌତୁହଳୀ ଆଖିର କୁଞ୍ଚନ,
କେବେ ପ୍ରଲୋଭନ ।

ପାଇବାକୁ ଓଢ଼ଣୀବାଲୀର ଝଲକ,
ନଜର ନପଡୁଥିବା ଆଖିରେ
ହଜିଯାଏ ନିଦ,
ପଡ଼େନା ପଲକ ।

ଓଢ଼ଣୀରେ ପୋଛି ହୋଇଯାଏ
ମୁହଁ ପୋଛିବା ବାହାନାରେ
ଏରୁଣ୍ଡି ଲଙ୍ଘିଥିବା ଲୁହର ସତ୍ତା ।
ଦୁଃଖ ଜର୍ଜରିତ ହୃଦୟ ବେଦନା
ବିଗତ ଦଶନ୍ଧିର ସାଇତା ।

ଓଢ଼ଣୀରେ,
କେବେ ଲୁଚାଯାଏ,
ଉଜାଣି ବହୁଥିବା ମନର ଉମଙ୍ଗ,
ସମାଜରେ ବାଜେଝିଅ ଆଖ୍ୟା ପାଇଁ,
ଦାୟୀ ହସର ତରଂଗ ।

ଓଢ଼ଣୀ,
ପଡ଼ିଲେ ମଥାରେ
ପର ବନିଯାଏ, ଅଲିଅଳି ଅତି ।
କାହା ହାତଧରି, ଚାଲିଯାଏ
ଚାଲିବାକୁ ଜୀବନର ରାସ୍ତା,
ଫାଙ୍କାକରି ଅଗଣା ବାରଣ୍ଡା
ଛାଡ଼ି ଦେଇ ଶୈଶବର ସ୍ମୃତି ।

ଆଉ ସେଇ ଓଢ଼ଣୀ
ସାହରା ନେଇ, ପାରିହୁଏ
ସାମନା କରିପାରି ନଥିବା
ଦୁର୍ବିସହ ଜୀବନ ଜଞ୍ଜାଳରୁ ମୁକ୍ତି

ଓଢ଼ଣୀ
ତ ମା’ଦୂର୍ଗାଙ୍କ ପ୍ରତୀକ
ଚଢାଇ ମାଗିଥାନ୍ତୁ ଶକ୍ତି,
ଲଢିବାକୁ କଷିଥାନ୍ତୁ କମର
ଓଢ଼ଣୀ ଗୋଡାଇ ।

ଓଢ଼ଣୀ
ବିଚାରୀହିଁ ବଦନାମ
ତୋ ଭୀରୁତା ପାଇଁ,
ତୋସାଥେ ଥିଲା କୌଶରୀରୁ
ସାଜିଥିଲା ନାରୀଶକ୍ତି, ଦେଇଥିଲା ଦମ୍ଭ
କରିବୁନି ଭୟ, ହେବ ତୋହରି ବିଜୟ ।

ଲୋକପ୍ରିୟ ଲେଖା

To Top