ସହରଠୁ ଦୂରରେ ଥାଏ
ସତେ ଯେମିତି ନିଆଁ ପାଣି ବାସନ୍ଦ ତା’ ପାଇଁ
କିନ୍ତୁ ସେ ମନେ ପଡିଲେ,
ଚେନାଏ ହସ ଖେଳିଯାଏ ମୁହଁରେ
ଆଉ ଆଖିରେ, ଦି ଧାର ଲୁହ ।
ସବୁ ଦେଇ ଦେଇ ସେ ଶୂନ୍ୟ
ଅନ୍ୟର ସ୍ୱାର୍ଥ ପାଇଁ ନିଜ ଦେହ ଚିରି
ଦେଇଛି ରାସ୍ତା,
ବୁହେଇଛି ଶିରା ପ୍ରଶିରାର ସବୁ ଯାକ ରକ୍ତ,
ମୁଣ୍ଡେଇଛି, ସେଇ ସ୍ୱାର୍ଥୀ ଲୋକମାନଙ୍କ
ବିଶ୍ୱାସର ଦେବତାକୁ ତା’ ଚୂଡାରେ ।
ତା’ ରି କୋଳରୁ ଆରମ୍ଭ ହେଇଛି
ସବୁ କାହାଣୀର ପ୍ରଥମ ଅଧ୍ୟାୟ,
ମନେରଖିଛି ଶୁଣିଥିବା, ଦେଖିଥିବା
ସବୁ ପ୍ରତିଜ୍ଞା ମାନଙ୍କୁ
ଜାବୁଡି ଧରିଛି ବର୍ଷ ବର୍ଷର ହାଡ-କଙ୍କାଳ
ସାଇତିଛି ଛିଣ୍ଡା ଶାଢ଼ି, ଶାୟା ଆଉ ବ୍ଲାଉଜ୍ ।
କିଏ କେତେ କ’ଣ ମାଗିଛି ତାକୁ
କିଏ କେତେ କ’ଣ ବୋହି ନେଇଛି
କେହି କେହି ଲୁଟିଛନ୍ତି ମଧ୍ୟ !
ସେ କିନ୍ତୁ ସହିଛି
ଚୁପ୍ ହେଇଛି
ଲୁହ ଗଡେଇଛି
କିନ୍ତୁ ସବୁ ଭିତରେ ଭିତରେ ।
ସବୁ କହନ୍ତି ପାହାଡଟେ କ’ଣ ବୁଝିପାରିବ ?
ନେଇଯାଅ ସବୁ, ଉପାଡି ଦିଅ ତା ହାତ
ଧମନୀ ଚିପୁଡି ଚାଟିଦିଅ
ଶେଷ ବୁନ୍ଦା ରକ୍ତ ଟିକକ ବି !
କିନ୍ତୁ ସବୁ ପାହାଡ କ’ଣ ପଥର ?
କିଛି ପାହାଡ ନିଶ୍ୱାସ ନିଏ,
ଅନୁଭବ କରେ
ଅଫିସ୍ ଯାଏ
ଆଉ ସବୁ ବୁଝି, ନଜାଣିଲା ପରି ରୁହେ ।