କବିତା

ପାହାନ୍ତି ତାରା

ଉଷାର ଡଗର
ମୂକ ଜନେ ଦେଇ ଭାଷା
ନିରକ୍ଷର ହାତରେ ଅକ୍ଷର
ଏ ଜାତିର ହେ ପୟଗମ୍ୱର ।

ପାହାନ୍ତି ତାରା

ପାହାନ୍ତି ତାରା ସମ
ଲମ୍ୱାଇ ଜ୍ୟୋତିର ହାତ
ପୋଛିଦେଲ ଦିଗନ୍ତ ତମସା ।

ଲମ୍ୱ ବେକ ଟେକିଦେଲ
ରଖିବାକୁ ଏ ଜାତିର ଟେକ
ଖଞ୍ଜିଦେଇ କଣ୍ଠରେ ବିବକ୍ଷା ।

ଉଷାର ଡଗର
ମୂକ ଜନେ ଦେଇ ଭାଷା
ନିରକ୍ଷର ହାତରେ ଅକ୍ଷର
ଏ ଜାତିର ହେ ପୟଗମ୍ୱର ।

“ମାମୁ”ଙ୍କ ପରିଚୟ
“ନାଜର”ଙ୍କ ଘର
ଖୋଜି ଖୋଜି ପାଉନି ନଜର
ହୋଇନାହିଁ ଏ ଯାବତ୍ ଥୟ ।

ଓଡ଼ିଶା ମାତ୍ରକେ
ଜମି ମାତ୍ର “ଛମାଣ ଆଠଗୁଣ୍ଠ”
ଯେତେ ମାପିଲେ ହେଁ
ମାପ ସରୁନାହିଁ
ନଳ, ପଦିକା ପରେ
ଏବେ ହେକ୍ଟର ଚାଲିଛି ।

ଆମେ ଯେତେ ସାହିତ୍ୟର
ଅମିନ, ସୁପରଭାଇଜର
ତମ କ୍ଷେତ ରକବା ପାଉନୁ ।

ଡିବିରି ଆଲୁଅରେ
“ରେବତୀ” ପଢ଼ଇ ପାଠ
ବାସୁ ମାଷ୍ଟ୍ର ଜଳୁଛନ୍ତି
ଦେଖାଇ ଉଜ୍ଜ୍ୱଳ ବାଟ ।

ଆଈବୁଢ଼ୀ ରକଟନ୍ତି ଦାନ୍ତ
“ଲୋ ରେବି ! ଲୋ ନିଆଁ”
ତଥାପି ସେ ପରମ୍ପରା ପୁରେ
ଆଲୋକର ଅସିମ କୁହାଟ ।

ସାରିଆର ଛେପ ନଣ୍ଡାରେ
ମଙ୍ଗରାଜ ଏବେବି ନରକ ଭୋଗେ
ଶୋଷଣ ଓ ଶ୍ରେଣୀ କାରସାଦି
ଶତଧା ଧିକ୍‌କାରି ।

ରାଜା-ଜମିଦାର
ଅନ୍ତନାଡ଼ି ଚିପି,
ଦେଲେ ଯାହା ଉପହାର
ଗରିବ ଶୋଷିତ ହାତେ
ଦେଇଛ କଟାର
ଚେତନାର ସ୍ୱର ଝଙ୍କାର
ହେ ପୟଗମ୍ୱର ।

ଲୋକପ୍ରିୟ ଲେଖା

To Top