କବିତା

ପାଉଁଶ ତଳର ନିଆଁ

Dibakar Sahoo's odia poem Paaunsha Talara Niaan

ଅଗୋଚରେ ତମେ କରିଛ ମହାମେଣ୍ଟ
ପାଇବାକୁ ସିନା ସୁଲଭ ମୂଲ୍ୟେ ଦାନା ।
ବାରମାସ ପୂରି ନ ପୂରଇ ମୋର ପେଟ
କଷ୍ଟେ ପିନ୍ଧଇ ସାତସିଆଁ ଛିଣ୍ଡା କନା ।।

ପାଉଁଶ ତଳର ନିଆଁ

ତମେ ତ ସବୁ ନିର୍ମୂଳି ଲଟା ଏଠି
ବଞ୍ଚିଛ ମୋର ସଞ୍ଚିତ ଯେତେ ଖାଇ ।
କୃଷକ ମୁହିଁ ଖଟୁଅଛି ଖାଲି ବେଠି
ଖୋଜୁଛି ଶୂନ୍ୟେ ସ୍ୱାଧୀନତା ଗଲା କାହିଁ ।।

ଅଗୋଚରେ ତମେ କରିଛ ମହାମେଣ୍ଟ
ପାଇବାକୁ ସିନା ସୁଲଭ ମୂଲ୍ୟେ ଦାନା ।
ବାରମାସ ପୂରି ନ ପୂରଇ ମୋର ପେଟ
କଷ୍ଟେ ପିନ୍ଧଇ ସାତସିଆଁ ଛିଣ୍ଡା କନା ।।

ତମରି ଅର୍ଜିତେ ଲାଗଇ କି କେବେ ଘୁଣ
ବନ୍ୟା ବାତ୍ୟା ମରୁଡ଼ି ଦୁର୍ବିପାକେ ।
ତମ ଝାଳବୁହା ହୁଅଇ କି କେବେ ଖୁଣ
ଆଲମିରା ଅବା ଟ୍ରଙ୍କ ବାକ୍ସ ଥାକେ ।।

ମୋର ନାବାଳକ ଖଟଇ ମୋର ସଙ୍ଗେ
ମଇ ଆଗରେ ପାଞ୍ଚଣ ଧରି ଚାଲେ ।
ଗାଈ ଗୋରୁ ଛେଳି ମେଣ୍ଢା କୁକୁଡ଼ା ଜଗେ
ଦୂର ଗହୀର କିଆ ଗୋହିର ନାଳେ ।।

ଘରଣୀ ମୋର ସାହାଯ୍ୟ କରେ କ୍ଷେତେ
ତଳି ଉପାଡ଼ି ଧାନକାଟି ହିଡ଼ ଲଦି ।
ନରମ ମଥାରେ ବୁହଇ ହଳା କେତେ
ମାଟିକୁ ନ ହେଲେ ଝାଟିକୁ କରି ଫନ୍ଦି ।।

ରୋଗୀଣା ମା’ ରହିଛି ଶେଜେ ପଡ଼ି
ସମ୍ୱଳ ନାହିଁ ଔଷଧ ପାଇଁ ଟିକେ ।
ବଡ଼ ଝିଅ ବାହା ସମୟ ଗଲାଣି ଗଡ଼ି
ଶୁଝିବା ପାଇଁ ଉଧାର, ସମ୍ପତ୍ତି ବିକେ ।।

ତମେ ତ ସବୁ ନିର୍ମୂଳି ଲଟା ଶୁଣ
ରହିଛ କୃଷକ ବୃକ୍ଷ ଉପରେ ମାଡ଼ି ।
ରକତ ହୀନ ତା’ ଶୁଖିଲା ମାଉଁସ ଝୁଣ
ମଲେ ସେ ବୃକ୍ଷ ଦବକି ତମକୁ ଛାଡ଼ି ।।

ଲୋକପ୍ରିୟ ଲେଖା

To Top