କବିତା

ପଇସା

Nirupama Swain's Odia Poem PAISAA

ସତେ ତା’ର
ୟା’ ଲାଗି ଦୁନିଆଁ ଆଜି ଏକ
ଭସାବାଦଲ ।

ପଇସା

ସବୁକିଛିର ସୃଷ୍ଟି. . .
ଆଜି ଏଇଠି
କେବଳ ସେଇ ଧନକୁ ଆଶ୍ରୟ କରି
ମରତରୁ ଆକାଶ
ପରିଯନ୍ତେ ସାଜିଛି
ସିଏ ସବୁରିଙ୍କ ସହଚରୀ

ଜୀବନର ପ୍ରତିଟି ଅଧ୍ୟାୟର
ଆରମ୍ଭ ହୁଏ ଭିତ୍ତି
ଇଏ ପ୍ରତିଟି ସୃଷ୍ଟିର
ସାମାନ୍ୟ ପରଜାଠାରୁ ରଜାଙ୍କ ପର୍ଯ୍ୟନ୍ତ
ଏ ଯେ ଲୋଡ଼ା ସବୁଙ୍କର

ଯେତେ ସବୁ ବାଦ-ବିବାଦ
ପୁଣି ବନ୍ଧୁ ଯେ ଅଭେଦ୍ୟ
ସବୁକିଛି ଏଇ ପଇସାର ମାୟା
ନିଜର ରଜ୍ଜୁରେ ଧରି
ଦୁନିଆଁକୁ ବିସ୍ତାରିଛି
ତା’ର ସେ ଭୟଙ୍କର କାୟା

ଲୁହ ଅବା ଲହୁ !
ଦୁଃଖ ଅବା ଦ୍ୱେଷ
ପ୍ରତିଟି ଉଚ୍ଛ୍ୱାସ ବି ୟା’ ଖେଳଘର
କି ଅଦ୍ଭୁତ ଯାଦୁ

ସତେ ତା’ର
ୟା’ ଲାଗି ଦୁନିଆଁ ଆଜି ଏକ
ଭସାବାଦଲ ।

ସପନକୁ ଭାଙ୍ଗିଦିଏ କା’ର
ଅନ୍ୟର ସପନକୁ ତୋଳି
ବାହାସ୍ଫୋଟ ମାରୁଥାଏ ବସି
ହସି ହସି ଦେଖୁଥାଏ
ଦୁର୍ଦ୍ଦଶା ଅବା କାହା ଅଳି ।

ଅଙ୍ଗୀକାର ଦେଇଛି ଆଜି
ଇଏ ଦୁନିଆଁକୁ
ଭାରି ଗର୍ବ. . . ଅହଂକାର ୟା’ର
ନିଜସ୍ୱ ନ ଥିଲେ ବି
ଖାତିର ତା’ ନାହିଁ
ତା’ର ଅବା ତା’ ମୁନିବର ।

ତଥାପି. . . ପାରେନି କିଣି
ପ୍ରେମ ବନ୍ଧନକୁ
ଫିକା ପଡ଼ିଯାଏ ରୂପ ତା’ର
ଜନମ ଜନମ କରି ଯେତେ
ଜନମିଲେ ବି
ଜିତାପଟ ସଦା ସେଇ ବାସ୍ତବ ପ୍ରେମର
ସ୍ୱଚ୍ଛ ମମତାର ।

ଧନ କେବେ ମନ ଚିହ୍ନେ ନାହିଁ
ଲୋଡ଼ା ଯିଏ ନିହାତି
ବଞ୍ଚିବାର ପାଇଁ
ପାଗଳ ମଣିଷ ଯାହା
ଧାଏଁ ତା’ ପଛେ
ଭୁଲିଯାଏ ନିଜେ ନିଜ ଛାଇ ।

ଲୋକପ୍ରିୟ ଲେଖା

To Top