ପଞ୍ଚକନ୍ୟା

Seema Rekha's odia poem Panchhakanya

ନୁହେଁ ଦେବକୁଲ୍ୟା ନାଆଁ ମୋ ଅହଲ୍ୟା
ବ୍ରହ୍ମା କଲେ ମୋତେ ସୃଷ୍ଟି
ଯତି ମତି ହରା ମୋ ରୂପ ଚେହେରା
ଝଲସାଏ ସବୁ ଦୃଷ୍ଟି

ଗୌତମପତ୍ନୀ ଅହଲ୍ୟା

ନୁହେଁ ଦେବକୁଲ୍ୟା ନାଆଁ ମୋ ଅହଲ୍ୟା
ବ୍ରହ୍ମା କଲେ ମୋତେ ସୃଷ୍ଟି
ଯତି ମତି ହରା ମୋ ରୂପ ଚେହେରା
ଝଲସାଏ ସବୁ ଦୃଷ୍ଟି

କେତେ ଯେ ଦେବତା ଭରିବାକୁ ମଥା
ମୋତେ ହେଉଥିଲେ ଝୁରି
ମହର୍ଷି ଗୌତମ ହେଲେ ପ୍ରିୟତମ
ତିନି ଲୋକ ଘୂରି ଘୂରି

ସେଇ ଅପମାନେ ଇନ୍ଦ୍ର ଆସି ଦିନେ
ମୋ ସତୀତ୍ୱ କଲେ ନଷ୍ଟ
ପତିଙ୍କର ଶାପେ ମୁଁ ପାଷାଣୀ ରୂପେ
ଭୋଗିଲି ଯାତନା କଷ୍ଟ

ପାଣ୍ଡବପତ୍ନୀ ଦ୍ରୋପଦୀ

ନୁହେଁ ବେଦରଦୀ ନାଆଁ ମୋ ଦ୍ରୌପଦୀ
ଯଜ୍ଞ କୁଣ୍ଡରୁ ମୁଁ ଜାତ
ସାଜିବାକୁ ପତି ସ୍ୱୟଂବର ଜିତି
ଅର୍ଜୁନ ଧରିଲେ ହାତ

ହେଲେ ମାତା କୁନ୍ତୀ ତାଙ୍କ ବାକ୍ୟେ ଗୁନ୍ଥି
ମୋତେ କଲେ ପାଞ୍ଚ ଭାଗ
ତଥାପି ମୁଁ ସତୀ ବରି ପଞ୍ଚ ପତି
ଲାଗିନାହିଁ ଦେହେ ଦାଗ

ଦୁଷ୍ଟ ଦଦୁଃଶାସନ ଦେଲା ଅପମାନ
ଏ ଦେହରୁ ଖୋଲି ବସ୍ତ୍ର
କୌରବ କୁଳର ହୋଇଲା ସଂହାର
ନଧରି ବି କୃଷ୍ଣ ଅସ୍ତ୍ର

ବାଳୀପତ୍ନୀ ତାରା

ମୁଁ ଯେ ଅପସରା ନାଆଁ ମୋର ତାରା
ମୋ ପତି ଅଟନ୍ତି ବାଳୀ
ହାତେ ଧରି ଗଦା ମଲ୍ଲ ଯୁଦ୍ଧ ସଦା
କରୁଥାନ୍ତି ଶକ୍ତି ଢାଳି

ସମୁଦ୍ର ମନ୍ଥନ ଚଉଦ ରତନ
ଭିତରୁ ମୋତେ ସେ ଆଣି
ଚୋରି କରି ଲାଜ ମୋ ବାନର ରାଜ
କିଷ୍କିନ୍ଦାର କଲେ ରାଣୀ

ରାମ ମାରି ବାଣ ନେଲେ ତାଙ୍କ ପ୍ରାଣ
ଅଦିନେ ବିବରା ହେଲି
ଅଙ୍ଗଦ ଅନାଥ ହେବନି ବୋଲି ତ
ସୁଗ୍ରୀବଙ୍କୁ ବରି ନେଲି

ପଣ୍ଡୁ ପତ୍ନୀ କୁନ୍ତୀ

ଅନିନ୍ଦ୍ୟ ଅନନ୍ୟା କୁନ୍ତୀଭୋଜ କନ୍ୟା
ମୋ ପ୍ରକୃତ ନାମ ପୃଥା
ସାଧୁ ସନ୍ଥ ପ୍ରତି ଅଯାଚିତ ଭକ୍ତି
କରେ ନାହିଁ କାମ ବୃଥା

ମହର୍ଷି ଦୁର୍ବାସା କୃପାର ବରଷା
ଝରାଇଲେ ତେଜି ତାପ
ହୋଇ ବିମୋହିତ ସୂର୍ଯ୍ୟଙ୍କ ସହିତ
ରଚିଲି କୁଆଁରୀ ପାପ

ମୃଗ ରୂପି ଋଷି ଅଜଣାନ୍ତେ ନାଶି
ପତି ପାପ କଲେ ଠୁଳ
ବାୟୁ ଇନ୍ଦ୍ର ଧର୍ମ ସାଥେ ରଚି ପ୍ରେମ
ରକ୍ଷା କଲି ନିଜ କୁଳ

ରାବଣପତ୍ନୀ ମନ୍ଦୋଦରୀ

ମୁଁ ଯେ ମନ୍ଦୋଦରୀ ଅନିନ୍ଦ୍ୟ ସୁନ୍ଦରୀ
ମୟାସୁର ମୋର ପିତା
କଶ୍ୟପ ନାତୁଣୀ ରାବଣଙ୍କ ରାଣୀ
ମୋ କନ୍ୟା ବି ଅଟେ ସୀତା

ହେବାକୁ ଅମର ବ୍ରହ୍ମାଙ୍କ ଠୁ ବର
ଦଶାନନ ଥିଲେ ଆଣି
କପଟ ବଚନେ ହନୁମାନ ଦିନେ
ତୀର ତତ୍ତ୍ୱ ଗଲେ ଜାଣି

ପତିଙ୍କର ପ୍ରାଣ ନେଲେ ନାରାୟଣ
ଶ୍ରୀରାମଙ୍କ ବେଶ ଧରି
ବିଭୀଷଣ ମୋର ସାଜିଲେ ସିନ୍ଦୂର
ଉଜୁଡା ମଥାକୁ ଭରି

ଲୋକପ୍ରିୟ ଲେଖା

To Top