କବିତା

ପରାଜିତ ଲେଖନୀ

Priyanka Priyadarshani Mishra's odia poem Paraajita Lekhanee

ତାଙ୍କ ଗୁଣ ଚିତ୍ରଣର ଆକାଂକ୍ଷାରେ
ହୃଦୟ ଅଭ୍ୟନ୍ତରର ସବୁ ଅନୁଭବକୁ
ଅତି ଯତ୍ନରେ ସାଉଁଟିଲା-
କୌଣସି ବିଶେଷଣର ସାମର୍ଥ୍ୟନାହିଁ
ତାଙ୍କ ଗୁଣକୁ ପ୍ରକାଶ କରିବାର ।
ସେହି ନିର୍ଗୁଣଙ୍କ ଉଦ୍ଦେଶ୍ୟରେ
ଝରିଗଲା ଆନନ୍ଦପୂର୍ଣ୍ଣ ଅଶ୍ରୁ ।

ପରାଜିତ ଲେଖନୀ

ଅନଭିଜ୍ଞ ମୋର ଲେଖନୀ
ଆଜି କାଇଁ ଦୁଃସାହସ କଲା,
ବିଶ୍ୱନିୟନ୍ତାଙ୍କୁ କବିତାର ରୂପ ଦେବା ପାଇଁ
ବୃଥା ପ୍ରୟାସ କଲା ।

ତାଙ୍କ ରୂପ ବର୍ଣ୍ଣନ ପାଇଁ ଶବ୍ଦଚୟନ କରିବାକୁ
ଅତି ଉତ୍ସାହିତ ହୋଇ
ମସ୍ତିଷ୍କ ସ୍ଥିତ ଶବ୍ଦକୋଷର ପୃଷ୍ଠାସବୁ
ଓଲଟେଇ ଚାଲିଲା-
ମିଳିଲା ତ କେବଳ ବ୍ୟଙ୍ଗାତ୍ମକ ନିରବତା ।
ସେଇ ରୂପବିହୀନଙ୍କ ଉଦ୍ଦେଶ୍ୟରେ
ଝରିଗଲା କ୍ଷମାଭିକ୍ଷାର ଅନୁରୋଧପୂର୍ଣ୍ଣ ଅଶ୍ରୁ ।

ତାଙ୍କ ବାସସ୍ଥଳୀ ଅନୁସନ୍ଧାନରେ ବାହାରିଲା
ଅପରିପକ୍ୱ, ଅଜ୍ଞାନ ।
ଚକ୍ଷୁପ୍ରଦେଶ ଅଧିକୃତ ପ୍ରତିସୂଚ୍ୟଗ୍ରସ୍ଥାନ
ବାରମ୍ୱାର ଅନୁଶୀଳନ କଲା–
ସବୁଠି ସେ ପୂର୍ଣ୍ଣରୂପେ ଦୃଶ୍ୟମାନ ।
ସେଇ ସର୍ବବିଦ୍ୟମାନଙ୍କ ଉଦ୍ଦେଶ୍ୟରେ
ଝରିଗଲା ପ୍ରେମପୂର୍ଣ୍ଣ ଅଶ୍ରୁ ।

ତାଙ୍କ ସ୍ଥିତି ବିଷୟରେ ଗବେଷଣା
କରିବାକୁ ବାହାରିଲା ନିର୍ବୋଧଶ୍ରେଷ୍ଠ
ସମୟର ସାହାଯ୍ୟ ନବାକୁ ଚିନ୍ତାକଲାବେଳେ
ହୃଦ୍‌ବୋଧ ହେଲା ଯେ-
ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସଂଜ୍ଞା ମଧ୍ୟ ତାଙ୍କ ଆଶ୍ରିତ ।
ସେଇ ରହସ୍ୟମୟଙ୍କ ଉଦ୍ଦେଶ୍ୟରେ
ଝରିଗଲା ଭକ୍ତିପୂର୍ଣ୍ଣ ଅଶ୍ରୁ ।

ତାଙ୍କ ଗୁଣ ଚିତ୍ରଣର ଆକାଂକ୍ଷାରେ
ହୃଦୟ ଅଭ୍ୟନ୍ତରର ସବୁ ଅନୁଭବକୁ
ଅତି ଯତ୍ନରେ ସାଉଁଟିଲା-
କୌଣସି ବିଶେଷଣର ସାମର୍ଥ୍ୟନାହିଁ
ତାଙ୍କ ଗୁଣକୁ ପ୍ରକାଶ କରିବାର ।
ସେହି ନିର୍ଗୁଣଙ୍କ ଉଦ୍ଦେଶ୍ୟରେ
ଝରିଗଲା ଆନନ୍ଦପୂର୍ଣ୍ଣ ଅଶ୍ରୁ ।

ଏବେ ମୋ ପାଖରେ. . .
ତାଙ୍କ ସହ ଅଭିନ୍ନତାର ଅନୁଭବ,
ଭାବବିହ୍ୱୋଳ ଏକ କବିପ୍ରାଣ,
କେଇଧାର କୃତଜ୍ଞତାର ଅଶ୍ରୁ
ଆଉ ପରାଜିତ ଏକ ଲେଖନୀ. . . ।

ଲୋକପ୍ରିୟ ଲେଖା

To Top