କବିତା

ପର୍ଯ୍ୟଟନ

Dibakar Sahoo's odia poem Parjyatana

ଜେଜ ହେ ଜେଜ କୁଆଡ଼େ ଯାଅ
ନେବକି ମୋତେ ସାଥେ,
ତମ ସହ ମୁଁ ବୁଲନ୍ତି ଗ୍ରାମ
ସହର ବନ ପ୍ରାନ୍ତେ ।।

ପର୍ଯ୍ୟଟନ

ଜେଜ ହେ ଜେଜ କୁଆଡ଼େ ଯାଅ
ନେବକି ମୋତେ ସାଥେ,
ତମ ସହ ମୁଁ ବୁଲନ୍ତି ଗ୍ରାମ
ସହର ବନ ପ୍ରାନ୍ତେ ।।

ଆମେ ଦି’ଜଣ ଯାଆନ୍ତେ ଚାଲି
ମହୋଦଧିର କୂଳେ ।
ଦେଖନ୍ତେ କେତେ ଭକତ ଜନ,
ଖାଆନ୍ତେ ଆମେ ଅଭଡ଼ା ଅନ୍ନ
ହରଷ ମନେ ଅତି
ଦର୍ଶନ କରି ଜଗତ ନାଥ
ଚରଣେ ଭରି ଭକ୍ତି ।।

ତା’ପରେ ଆସି ଦେଖନ୍ତେ ଆମେ
ସୂର୍ଯ୍ୟ ମନ୍ଦିର ଶୋଭା
ନିହାଣ ମୁନେ ଗଢ଼ିଛି ଶିଳ୍ପୀ
ଆହା କି ମନ ଲୋଭା
ଚାରୁ ମଣ୍ଡିତ ତା’ ମୁଖଶାଳା
ପୂରୁବ କୀର୍ତ୍ତି ବିଭବ ମାଳା
କଥା କହୁଛି କି ସେ ?
ନିପୁଣ ଯା’ର କଳା କୌଶଳ
ଚମକେ ସାରା ବିଶ୍ୱେ ।।

ଶିମିଳିପାଳ ଅଭୟାରଣ୍ୟ
ଯାଆନ୍ତେ ଟିକେ ଆମେ
ସୁଷମା ଦେଖି ଲାଗନ୍ତା ସତେ
ଅଛ ସରଗ ଧାମେ ।

କନିକା ଖଣ୍ଡ ସୁନ୍ଦରୀ ବନ
ଡାଙ୍ଗମାଳର କୁମ୍ଭୀରଗଣ,
ଦେଖନ୍ତେ ଆମେ ବୁଲି
ଗହୀର ମଥା ବାଲୁକା ଶଯ୍ୟା
ଭୋକ ଶୋଷକୁ ଭୁଲି ।।

ନାବରେ ବସି ନିଅନ୍ତେ ମଜା
ଚିଲିକା ନୀଳ ଜଳେ
ଦେଖନ୍ତେ ଦେଶ ବିଦେଶ ପକ୍ଷୀ
ଖେଳନ୍ତି ଦଳେ ଦଳେ ।

ମାମୁଁ ଭଣଜା ପାହାଡ଼ ପରେ
ଜଟିଆନାସୀ ବୁଲନ୍ତେ ଥରେ
ମୋ ପ୍ରିୟ କାଳିଜାଈ
ଦର୍ଶନ ସାରି ଖାଆନ୍ତେ ଲଡୁ
ଆଣନ୍ତେ ଆଈ ପାଇଁ ।।

ସେଇଠୁ ଆମେ ଆସନ୍ତେ ଫେରି
ମୋ ମାମୁଁ ଘର ଗାଁ
ଯେଉଁଠି ଛନ୍ତି ମୋ ମାମୁଁ ମାଇଁ
ଠାକୁର ଆଈ ମା’ !
ଦେଖିଲେ କେତେ ହୁଅନ୍ତେ ଖୁସି
ମିଛରେ ଆମେ ଯାଆନ୍ତେ ଋଷି
ଲାଗନ୍ତା ଭାରି ମଜା
ଗେହ୍ଲେଇ ଆଈ ଆମକୁ ଖୁଆନ୍ତେ କ୍ଷୀରି ଗଜା ।।

ଲୋକପ୍ରିୟ ଲେଖା

To Top