କବିତା

ପତାକା

Minati Pradhan's odia poem Pataakaa

ସମସ୍ତେ ତ ଦେଶଭକ୍ତ ,
ପତାକା ଛାତିରେ ,
ଗାଡି ଆଉ ଅଫିସ ଟେବଲ ସଜେ,
କାହା ଲୁହ ଲହୁ ଝାଳରେ ?

ପତାକା

ଥକି ପଡିଛି ପାଦ
ମୁଦି ଯାଉଛି ଆଖି
କ୍ଳାନ୍ତ, ଶ୍ରାନ୍ତ ମନ
ପତାକା ବିକି ବିକି ।

ଜୁଆର ଆସେ ଯେବେ
ଜାତୀୟ ପର୍ବର
ତା ସହ ପର୍ବ ଆସେ
ମୋ ଛିଣ୍ଡା ତମ୍ବୁ ତଳର
କେଇ ଓଳି ପରେ
ଚୁଲି ଜଳିବାର ।

ସମସ୍ତେ ତ ଦେଶଭକ୍ତ ,
ପତାକା ଛାତିରେ ,
ଗାଡି ଆଉ ଅଫିସ ଟେବଲ ସଜେ,
କାହା ଲୁହ ଲହୁ ଝାଳରେ ?

ମୋଟା ମୋଟା ଭାଷଣ ବାଜି
ଓ ଅନର୍ଗଳ ତର୍ଜମା
ହଜାଇ ଦିଏ ସତକୁ
କେଉଁ ଗଳିରେ ।

ସେଠି ଖାଲି ଦେଖାଣିଆ
ସ୍ୱାଧୀନତା, ଉନ୍ନତିର ଫାଙ୍କା ଆବାଜ
ସତରେ ବଦଳେନି ବେଶୀ କିଛି
ବିକାହୁଏ ପିଲାବେଳ
ପତାକା ପରି ଏଠି ନିତି ନିତି ।

ଶୋଇ ପଡିଥିବା ଆଖିରେ
ସପନ ଆସେ
ଛୁପି ଛୁପି ।
ଖେଳୁଥିବା ପିଲା ଦିନ
ଉଠାଉନି ବୋଝ,
ବଢୁଛି ହସି ହସି ।

ଲୋକପ୍ରିୟ ଲେଖା

To Top