କବିତା

ଫେରିବାର ପାଳି

Niranjana Jena's odia poem Pheribaara Paali

ଆଜି ପୁଣି କାହିଁକି ?
ସକାଳ ପହରୁ ରାଉ, ରାଉ
ଶନି ଦଶା ଏବେ କି କଟିନି
ଦୁର୍ଭାଗ୍ୟର ରାହୁ କି ଆମ ପାଇଁ ?

ଫେରିବାର ପାଳି

ଅଲକ୍ଷଣା, ରଇଜଳା,
ସକାଳରୁ ରା’, ରା’,
ସାରାଦିନ ଅଛି ।

ଯେତେଥର ମୋ ଘରେ ଆସିଛୁ
ପ୍ରତିଥର ଠା’, ପାଣି ଦେଲାପରି
ବାସୁମତୀ ଚାଉଳର ଅଧାର ଦେଇଛି,
ଅଗଣାରେ-
ମୁଠା ନୁହେଁ, ତିନି ମୁଠା
ଅତି ସରାଗରେ
ତୋ ଠୁଁ ଶୁଣିବି ବୋଲି ସୁଆଦି ବାରତା ।

ପରେ ପରେ ଯା’ ଶୁଣିଛି,
ଚିଟାଉ ପାଇଛି
ଗୋଟିଏ ନୁହେଁ ଦି’ ଦି’ଟା
ଅଲକ୍ଷଣା କଥା ।

ପ୍ରଥମ ପାଳି ଝୁଅ ମୋର
ଯାଇଥିଲା ଶାଶୁଘର
କନ୍ଦର୍ପ ସମାନ ଜୋଇଁପୁଅ
ଛ ମାସ ନ ପୁରୁଣୁ
ବାସି ଶେଯରେ ଚୋଟ ମାରିଲା କାଳସର୍ପ
ଝୁଅ ଫେରିଲା ନଙ୍ଗଳା ହାତରେ
ଧଳା କବଟା ଦେହରେ ଜଡ଼େଇ
ସେ ଦୁଃଖ ଦେଖିବାକୁ ଥିଲା- ଆମ ଦିହିଁଙ୍କୁ ?

ସେ ଦିନ ଧୁ’ ଧୁ’ ଖରାବେଳେ
ଖବର ଦେବୁ ବୋଲି
ମଥାନରେ ଚକର କାଟିଲୁ
ରାଉ, ରାଉ ହେଲୁ
ପରଷି ଦେଲି ତିନି ମୁଠା ଚାଉଳ
ଶୁଭ ମନାସି ପ୍ରବାସୀ ପୁଅର
ଥଣ୍ଟ ଆଡ଼େଇ, ତରକି ତରକି
ପେଟ ଭରି ଖାଇନେଲୁ
ଫୁର୍ କରି ଉଡ଼ି ଚାଲିଗଲୁ
ଭାବିଲି ପୁଅକୁ ବଡ଼ ଠାକୁର
ଭଲ ରଖିଛନ୍ତି କାଶ୍ମିରୀ ଘାଟିରେ !

ଦିନଟିଏ ନ ପୁରୁଣୁ
ଘାଟିରୁ ଲୋକ ଆସିଲେ
ନେଳିଆ ଗାଡ଼ି ଧରି
ପୁଅର ଜାମା, ପ୍ୟାଣ୍ଟ, ବାକୁସ, ବିଛଣା
ଏବଂ ଭସ୍ମ କଳସୀ ଥୋଇ ଦେଲେ
ଦାଣ୍ଡ ବାରଣ୍ଡାରେ,
ନୋକ, ବାକ ଜମା ହେଲେ
ସେମାନେ ବୁଝେଇ ଦେଲେ-
ସନ୍ତ୍ରାସୀ ମାରି ଦେଇଛନ୍ତି ପୁଅକୁ ତମର ।
ଛାତିକି ବଜର କରି,
ଆଖି ପାଣି ଆଖିରେ ମାରି
ଆମେ ଦିହେଁ ଅଛୁ ।

ଆଜି ପୁଣି କାହିଁକି ?
ସକାଳ ପହରୁ ରାଉ, ରାଉ
ଶନି ଦଶା ଏବେ କି କଟିନି
ଦୁର୍ଭାଗ୍ୟର ରାହୁ କି ଆମ ପାଇଁ ?

ତୁ ଭାବିଛୁ ଏଥର ଆମେ
ଭଳି ଯିବୁ ତୋରି କଥାରେ
ଆଧାର ଦେବୁ, ଆଦରରେ ମୁଦା ବସେଇବୁ
କି ବାତାନି ଶୁଣେଇବୁ ଯେ-
ଏ ମଲା ବୁଢ଼ା ବୁଢ଼ୀଙ୍କୁ !
ଆମେ ଦୁହେଁ ଜାଣି ସାରିଲୁଣି
ଆମେ ଦିହେଁ ଶୁଣି ସାରିଲୁଣି
ଆଉ ଶୁଭ ଖବର ଆସିବାର ନାହିଁ
ଏବେ ଆମର ଫେରିବାର ପାଳି !

ଲୋକପ୍ରିୟ ଲେଖା

To Top