କବିତା

ଫୁଲ ମାଓବାଦୀ

Jachindra Kumar Rout's Odia Poem PHULA MAAOBAADI

ଖୋଜୁଚନ୍ତି ଗଣଦ୍ରୋହୀମାନଙ୍କୁ
ହାଣ୍ଡିରେ, ଫାଣ୍ଡିରେ
ସରକାର ଅଫିସ
ପାଇଖାନା ଆଉ ପାର୍ଲିଆମେଣ୍ଟ୍
ମନ୍ଦିର, ମସ୍ଜିଦ୍ କି ରାଜଧାନୀ
ମଇଦାନରେ ।

ଫୁଲ ମାଓବାଦୀ

ଫୁଲ ସାଜିଲେ ମାଓବାଦୀ
ଅତଡ଼ାଖସେ ଛାତିରୁ
ଠାକୁରମାନଙ୍କର
ଭୂମିକମ୍ପରେ ଟଳମଳ
ବଡ଼ପଣ୍ଡାଙ୍କ ଥାକୁଲାପାଦ
ଆପାଦ ଆସେମ୍ଲି
ମାଟିର ମଥାନ ।

ଫଗୁଣର ଫୁଲରେ
କାହିଁକି ଏ ପଚାଗନ୍ଧ ।
ପୁଚ୍ଛିବାରୁ କାରଣ ଜାଣିଲି
ଦେଖିଲି ତା’ ଦେହସାରା
ଶୁଣ୍ଢର ଦଂଶନ
ପ୍ରତିଟି ରେଣୁର ଅଣୁରେ
କିଏ ଆଙ୍କିଥିଲା
ପ୍ରତୀକ୍ଷା, ପ୍ରତିଶ୍ରୁତି, ପ୍ରତିଜ୍ଞା
ପରମ ତୃପ୍ତି, ପ୍ରତାରଣା
ଲୋକତନ୍ତ୍ର ଅକ୍ଷରରେ ।

ହଠାତ୍ କୁହୁଳି ଉଠିଲା
ଫୁଲର ମହକ
ଲୁହାଛଡ଼ ପରି ପାଚିଗଲା
ଫୁଲର ପାଖୁଡ଼ା
ବଇଶାଖ ତାତିରେ ଶୁଖିଗଲା
ମହୁର ଝରଣା
ଲିଭିଗଲା ରଙ୍ଗର ତା’ ତଳିପେଟରୁ
ଚେନାଏ ବାଦଲ
ଆକାଶରୁ ହଜିଲା ପରି ।

ତୀର ଛାଡ଼ି ତା’ର ବିଛେଇଚନ୍ତି
ଫୁଲମାନେ,
ଝୁଲେଇଛନ୍ତି ବୋମା ଆଉ ବନ୍ଧୁକ
ଥନରେ ପୁଣି ଛାତିରେ
ହାଡ଼ହାର
କଅଁଳା ଶିଶୁର ବେକରେ
ସଜେଇଛନ୍ତି ଓଠ
ଚୁମାରେ, ଚୋଟରେ, ଲ୍ୟାଣ୍ଡମାଇନ୍ସରେ
ଆଖିରୁ ଧୋଇ ଦେଇଚନ୍ତି ଅଞ୍ଜନ
ପିନ୍ଧିଚନ୍ତି ଦୂରବିକ୍ଷଣ, ଦଂଶନ ।

ଖୋଜୁଚନ୍ତି ଗଣଦ୍ରୋହୀମାନଙ୍କୁ
ହାଣ୍ଡିରେ, ଫାଣ୍ଡିରେ
ସରକାର ଅଫିସ
ପାଇଖାନା ଆଉ ପାର୍ଲିଆମେଣ୍ଟ୍
ମନ୍ଦିର, ମସ୍ଜିଦ୍ କି ରାଜଧାନୀ
ମଇଦାନରେ ।

ଫୁଲ ସାଜିଛନ୍ତି ଫୁଲନ୍ଦେବୀ
ବାଘୁଆ ମହୁମାଛି
କ୍ରାନ୍ତିର ଭୃଣ ଗଜରା ମାରୁଚି
ଖଣିରେ, ଗଣରେ, ବଣରେ
ସ୍କୁଲ ଆଉ କଲେଜ୍‌ରେ ।

ମାଓବାଦୀ ଖୋଜୁଚନ୍ତି ମାଓବାଦୀଙ୍କୁ
ଗଣତନ୍ତ୍ର ବସାଘରେ
ଦାନ୍ତେୱାଡ଼ରେ
ଫୁଲ ସାଜିଲେ ମାଓବାଦୀ
ଥରିଯାଏ ଠାକୁର ଆସ୍ଥାନ ।

ଲୋକପ୍ରିୟ ଲେଖା

To Top