ପ୍ରଭୁ ! ପାଦପଦ୍ମେ ମାଗେ ଶରଣ
ମନ ମନ୍ଦିରରେ କରି ବରଣ ।
ଜପୁ ତବ ନାମ ପ୍ରତି ନିଃଶ୍ୱାସ
ଭରିଦିଅ ପ୍ରାଣେ ଭକ୍ତି ବିଶ୍ୱାସ ।
ସତ୍ୟ ଅହିଂସା ପଥରେ ଚଳାଅ
ଦୀନ ସେବାରେ ଏ ମନ ବଳାଅ ।
ଗୁରୁ ଗୁରୁଜନ ପଦେ ଭକତି
ଦେଶ ସେବା ପାଇଁ ଦିଅ ଶକତି ।
ମୁଖେ ଦିଅ ପ୍ରଭୁ ଚିର ହରଷ
ବିଦ୍ୟା ବୁଦ୍ଧିରେ କରାଅ ସରସ ।
ଧୈର୍ଯ୍ୟ ସାହାସ ଜୁଟାଅ ବିପଦେ
ଆତ୍ମ ବିଭୋର ନ ହୁଏ ସମ୍ପଦେ ।
ଦୁରୁଜନ ସଙ୍ଗ କର ବାରଣ
କାହା ଦୁଃଖର ନ କର କାରଣ ।
ନିଷ୍ଠା ରହିଥାଉ ଲକ୍ଷ୍ୟ ପଥରେ
ଶାନ୍ତି ପ୍ରସନ୍ନତା ଦିଅ ଅନ୍ତରେ ।
ପ୍ରଭୁ ଏତିକି ମାତ୍ର ମୋ ଜଣାଣ
ସର୍ବଜନ ପ୍ରତି କର କଲ୍ୟାଣ ।