କବିତା

ପ୍ରଦୂଷଣ

Anupam Behera's odia poem Pradooshana

ଅଙ୍ଗାରକାମ୍ଳ ମାଡିବସିଥାଏ,
ଅମ୍ଳଜାନର ସ୍ଥାନ
ଅକାଳ ବାର୍ଦ୍ଧକ୍ୟ ନେଇଯାଏ,
ନୀରିହ ଯୌବନ ୧

ପ୍ରଦୂଷଣ

ଅଙ୍ଗାରକାମ୍ଳ ମାଡିବସିଥାଏ,
ଅମ୍ଳଜାନର ସ୍ଥାନ
ଅକାଳ ବାର୍ଦ୍ଧକ୍ୟ ନେଇଯାଏ,
ନୀରିହ ଯୌବନ । ୧

ପ୍ଲାଷ୍ଟିକ୍ ଉଦରସ୍ଥ କରିସାରିଥାଏ,
ସ୍ଵର୍ଣ୍ଣଗର୍ଭା ପୃଥିବୀକୁ
ସୂର୍ଯ୍ୟଙ୍କର କ୍ରୋଧାଗ୍ନୀ ବ୍ୟଥିତ କରୁଥାଏ,
ସମଗ୍ର ଜୀବଜଗତକୁ । ୨

ଅଦୃଶ୍ୟ ବାୟୁମଣ୍ଡଳ ଛଟପଟ ହେଉଥାଏ,
ବିଷାକ୍ତ କୁହୁଡିର ମାୟାଜାଲରେ
ପାଣି ମୁନ୍ଦାଏ ପାଇଁ ପୃଥିବୀ ଓଦା ହେଇଯାଏ,
ନୀରିହର ରକତ ଛିଟାରେ । ୩

ଆଣ୍ଟାର୍କଟିକାର ହିମଖଣ୍ଡ ଶେଷ ନିଶ୍ଵାସ ଛାଡିଥାଏ,
ବିଶାଳ ମହାସାଗର ଗର୍ଭରେ
ରାତିର ଅନ୍ଧାରଟା ଲାଗୁଥାଏ ଆହୁରି ଭୟଙ୍କର,
ଅସହ୍ୟ ଥଣ୍ଡାର ପ୍ରକୋପରେ । ୪

ସମଗ୍ର ଜୀବସତ୍ତାର ବିଲୁପ୍ତି ଦୁଃଖରେ ଜର୍ଜରିତ ପୃଥିବୀ,
ଚୁପ୍‌ଚାପ୍ ସହୁଥାଏ ହଜାରେ କୋଟି ମଣିଷର ବୋଝ
ନୂଆ କିଛି ପରିବର୍ତ୍ତନର ଆଶା ନେଇ,
ପ୍ରକୃତି ନିଜକୁ କରୁଥାଏ ସଜ । ୫

ଧରିତ୍ରୀର ସବୁଜିମା ହଜିଯାଇଥାଏ,
ଅଗନାଅଗନି କଂକ୍ରିଟ୍ ଜଙ୍ଗଲ ମଧ୍ୟରେ
ନୀରିହ କୋମଳମତି ଶିଶୁଙ୍କର ବୁକୁ ଥରୁଥାଏ,
ପରମାଣୁ ଯୁଦ୍ଧର ଅକଳ୍ପନୀୟ ଭୟାବହତାରେ । ୬

ବିଞ୍ଜାନ ଓ ପ୍ରଗତିର ଡିଣ୍ଡିମ ପିଟି,
ଦ୍ରୁତ ଗତିରେ ଆଗେଇଚାଲିଥିବା ମଣିଷ
ଏମିତି ଏକ ସୋପାନରେ ପହଞ୍ଚିଥାଏ,
ଯେଉଁଠି ଆଗକୁ ଥାଏ ଖାଲି ସର୍ବନାଶ । ୭

ପୃଥିବୀର ନଗ୍ନତା ଲୁଚିଯାଇଥାଏ,
ମନୁଷ୍ୟକୃତ ପ୍ଲାଷ୍ଟିକ୍ ବସ୍ତ୍ର ତଳେ
ମଣିଷ ଖୋଜୁଥାଏ ନିଜ ଆତ୍ମୀୟଙ୍କୁ,
ଇଲେକ୍‌ଟ୍ରୋନିକ୍ ଯନ୍ତ୍ରପାତି ମେଳେ । ୮

ନଭଶ୍ଚୁମ୍ଭୀ ଅଟ୍ଟାଳିକାରେ ବସବାସ କରି,
ମଣିଷ ଭୁଲିସାରିଥାଏ ଧୂଳିମାଟିଭରା ପୃଥିବୀକୁ
ଏକବିଂଶ ଶତାବ୍ଦୀର ଶିଶୁ ଭୁଲିଯାଇଥାଏ,
ତା ଅତିଆପଣାର ଜହ୍ନମାମୁଁକୁ । ୯

ପ୍ରକାଣ୍ଡ ଇଲେକ୍‌ଟ୍ରୋନିକ୍ ସ୍ତୁପ ତଳେ,
ହଜିଯାଇଥାଏ ନୀରିହ ପୃଥିବୀର କୋମଳତା
ସହ୍ୟ କରୁଥାଏ ମଣିଷ ନିଇତି,
ବନ୍ୟା ବାତ୍ୟା ଭୂମିକମ୍ପର ଭୟାବହତା । ୧୦

ନାନାଦି ରୋଗର ବାହୁବେଷ୍ଟନୀରେ ଆବଦ୍ଧ ମଣିଷ,
ଛାଡୁଥାଏ ତ୍ରାହି ତ୍ରାହି ଚିତ୍କାର
ଅତି ବାଇଗଣୀ ରଶ୍ମୀ ଧସେଇ ପଶୁଥାଏ,
ଛିଦ୍ର କରି ଓଜନ ସ୍ତର । ୧୧

ବାୟୁମଣ୍ଡଳର ଶେଷ ସୀମାରେ,
ନିଇତି ପ୍ରାଣହାରେ କୃତିମ ଉପଗ୍ରହଟିଏ
ଇନ୍ଧନର ଘୋର ଅଭାବ ହେତୁ,
ଯାନବାହନର ପ୍ରାୟ ଆବଶ୍ୟକତା ନ ଥାଏ । ୧୨

ଚୋରୀ ଡକାୟତୀ ହତ୍ୟା ଧର୍ଷଣ,
ଆଦି ଥାଏ ନିହାତି ସାଧାରଣ ଘଟଣା
ମଣିଷ ଆଉ ମଣିଷ ହୋଇ ନ ଥାଏ,
ହଜେଇଦେଇଥାଏ ତା ମଣିଷପଣିଆ । ୧୩

ନିଜ ହାତରେ ନିଜେ ହତ୍ୟା କରି,
ନିଜ ଜନ୍ମଦାତ୍ରୀ ପୃଥିବୀକୁ
ନୂଆ ଏକ ବାସପଯୋଗୀ ଗୃହ ଖୋଜିବାକୁ,
ମଣିଷ ଚାଲିଯାଇଥାଏ ଅନେକ ଆଲୋକବର୍ଷ ଦୂରକୁ । ୧୪

ଲୋକପ୍ରିୟ ଲେଖା

To Top