ପ୍ରାତଃଭ୍ରମଣରେ ବାହାରିଲି
ସ୍ୱାଭାବିକ ଦିନଠୁ ଯଥେଷ୍ଟ ଅଧିକ ବାଟ ମାଡ଼ିଗଲିଣି
ଅସତର୍କଭାବେ ଜୀବନର ପୃଷ୍ଠାସବୁ ଓଲଟାଇଚାଲିଛି
ପ୍ରକୃତିସ୍ଥ ହେଲାବେଳକୁ ଜାଣିଲି ତାହା ଜନଶୂନ୍ୟ ସ୍ଥାନ
ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟତ ହେଲାରୁ ଦୃଷ୍ଟି ପଥାରୁଢ଼ ହେଲେ ଜଣେ
ଅସାଧାରଣ ନାରୀ
ଅନିନ୍ଦ୍ୟ ସୁନ୍ଦରୀ ସତେଯେମିତି ବ୍ରହ୍ମାଣ୍ଡର ସବୁ ସୌନ୍ଦର୍ଯ୍ୟ
ତାଙ୍କ ମଧ୍ୟରେ ସମାହିତ
ସବୁଜ ରଙ୍ଗର ବସ୍ତ୍ର, ଦୂରରୁ କେଶରାଶି ସୁଦୀର୍ଘ ଝରଣାଭଳି
ମନେହେଉଥିଲା
କିନ୍ତୁ ଉଦାସୀନା
ଆଶଙ୍କା ଓ ଉତ୍ସୁକତାର ଯୁଗପତ ସ୍ପର୍ଶ ଯୋଗୁଁ
ମୁହୁର୍ତ୍ତେମାତ୍ର ନଷ୍ଟନକରି ଆଗେଇଗଲି ତାଙ୍କ ଆଡ଼କୁ
ବିଦ୍ୟୁତ ବେଗରେ ମୋର ଜିଜ୍ଞାସାକୁ ପ୍ରଶ୍ନ ରୂପ ଦେଲି
“ଆପଣ କ’ଣ ପାଇଁ ବିଷାଦଗ୍ରସ୍ତ ?”
ସ୍ମିତହାସ୍ୟ ଦେଇ ସେ କହିବା ଆରମ୍ଭ କଲେ,
ତାଙ୍କ ହସରେ ମୋତେ ଅୟୁତ ପଦ୍ମ ସମୂହଭାବେ
ଫୁଟିବାର ଶୋଭା ଅନୁଭୂତ ହେଲା ।
ବୋଧ ହୁଏ ମୋର ଅଜ୍ଞତାର ଗଭୀରତା ମାପି
ପ୍ରସ୍ତୁତ କଲେ ସର୍ତ୍ତ – “ମୁଁ ମୌନଭଙ୍ଗ କଲେ ସେ ହେବେ ମୌନ”
କାବିକ୍ୟ ଶୈଳୀରେ ବର୍ଣ୍ଣନା କରି ଚାଲିଲେ
“ମୋର ସବୁ ସନ୍ତାନର ମୋର କୋଳରେ ସମାନ ଅଧିକାର
ମାତ୍ର ମୋର ଗୋଟିଏ ସନ୍ତାନ ସବୁ ସ୍ଥାନ ଆବୋରି ବସିଛି –
ମୋର ରୋଷେଇଶାଳାରେ ସମସ୍ତଙ୍କ ପାଇଁ ଖାଦ୍ୟ ସାଇତା,
କିନ୍ତୁ ସେହି ସନ୍ତାନଟି ସର୍ବଭକ୍ଷ – ଅନ୍ୟମାନେ ଭୋକ ଓପାସରେ ବିକଳ
ସେହି ସନ୍ତାନ ପାଖରେ ଦୟା, କ୍ଷମା ଓ ଭାତୃଭାବର
ମର୍ଯ୍ୟାଦା ବୁଝିବାପାଇଁ ପରିପକ୍ୱତା ଅଛି, କିନ୍ତୁ ସେ
ସ୍ୱାର୍ଥରୂପକ ମହା ଯଜ୍ଞରେ ଜୀବନର ସବୁ ମହାମନ୍ତ୍ରକୁ
ଆହୁତି ଦେଇ ଚାଲିଛି
ଗୃହରେ ଶାନ୍ତିରକ୍ଷା ପାଇଁ ଯାହାପାଖରେ ଯଥେଷ୍ଟ କ୍ଷମତା,
“ଅନ୍ୟାୟ” ରୂପକ ଅସ୍ତ୍ରଧାରଣ କରି ସେ କ୍ଷମତା ବିସ୍ତାର
କରିବାରେ ବ୍ୟସ୍ତ
ସର୍ବୋପରି ମୋର ଗୃହର ମୌଳିକତାର
ମୂଳୋତ୍ପାଟନ ପାଇଁ ସେ ଉଦ୍ୟମରତ ”
ନିୟନ୍ତ୍ରଣ ହରାଇ କହି ଉଠିଲି – “ଆପଣ କିଏ ?”
ଚତୁର୍ଦ୍ଦିଗ ଶୂନ୍ୟତାରେ ଭରିଗଲା
ସେ ମହାଶୂନ୍ୟରୁ ଏକ ଗମ୍ଭୀର ବାକ୍ୟ ମୋର
କର୍ଣ୍ଣ ଗୋଚର ହେଲା –
“ମୁଁ ‘ପ୍ରକୃତି’ ଓ ମୋର ସେଇ ଅତିପ୍ରିୟ ସନ୍ତାନଟି ‘ମନୁଷ୍ୟ’ …”

Pragnya Mishra
August 22, 2016 at 4:42 pm
nice one.
Pingback: Beautiful odia poem on nature named ପ୍ରକୃତି by Priyanka Priyadarshini Mishra | Oriya Magazine ameodia.com