କବିତା

ପ୍ରଥମ ପ୍ରେମ ସୁଖ

Niranjan Jena's odia poem Prathama Prema Sukha

ସ୍କୁଲ ଫେରନ୍ତା ଝିଅ, ପୁଅକୁ ନିରେଖିଲେ
ବନ୍ଧୁ ପଚାରନ୍ତି କାହାକୁ ଖୋଜୁଛ ।
ସ୍ମୃତିନାମ୍ନୀ ଝିଅଟି ସେଠାରେ ନଥାଏ
କିମ୍ୱା ସ୍ମୃତିର ରୂପ ନେଇ କେହି ବି ନଥାନ୍ତି ।

ପ୍ରଥମ ପ୍ରେମ ସୁଖ

ସ୍ମୃତି ସେଦିନ ଉଭା ହେଲା
ଧୁ, ଧୁ ଖରାବେଳଟାରେ
ଚଷମାରେ ଝାପ୍ସା-ଝାପ୍ସା. . .
ଅନେକ ଦିନୁ ଭୁଲି ଗଲିଣି
ସ୍ମୃତିର ଠିକଣା-ଏବେ ତ ବିଭ୍ରମରେ ।

ପ୍ରଥମେ, ପ୍ରଥମେ ମନ ବଳୁଥିଲା
ଜାଣିବାକୁ ସ୍ମୃତି ସମ୍ପର୍କରେ-
ସେ କେମିତି ଥିବ ସହରରେ ନା’ ଗାଆଁରେ
ସ୍ୱାମୀ ତା’ର ବେକାର ନା’ ପ୍ରତିଷ୍ଠିତ ?
କେତୋଟି ସନ୍ତାନର ଜନନୀ ଇତ୍ୟାଦି, ଇତ୍ୟାଦି ।

ଯେଉଁ ଆଡେ଼ ଆଖି ପହଁରାଏ
ଅନ୍ୟମନସ୍କତାରେ ବାରମ୍ୱାର ଝୁଣ୍ଟେ
ନଈକୂଳ, ତୋଟାମାଳ, ଯାନିଯାତ୍ରାରେ
କିମ୍ୱା ସହରର ଜନଗହଳି ରାସ୍ତାରେ/ପାର୍କରେ
ସ୍ମୃତିକୁ ଖୋଜିଲେ ସିଏ ନଥାଏ
ନିରାଶିଆ ମନ ଘର ଫେରେ ।

ସ୍କୁଲ ଫେରନ୍ତା ଝିଅ, ପୁଅକୁ ନିରେଖିଲେ
ବନ୍ଧୁ ପଚାରନ୍ତି କାହାକୁ ଖୋଜୁଛ ।
ସ୍ମୃତିନାମ୍ନୀ ଝିଅଟି ସେଠାରେ ନଥାଏ
କିମ୍ୱା ସ୍ମୃତିର ରୂପ ନେଇ କେହି ବି ନଥାନ୍ତି ।

ନଈ ବାଟ ଭାଙ୍ଗି ବହିଗଲେ ।
କାହାକୁ ବା ଦୋଷ ଦେବ !
ସୁଅକୁ/ନରମ ମାଟିକୁ ନା ସେହି ଝିଅକୁ
ଯିଏ ଅଧାବାଟରେ ବାଟ ଭୁଲନ୍ତି ନଈପରି
ନିଜ ଗଢ଼ା ବାଲିଘର ନିଜେ ଭାଙ୍ଗି
ଜଣା କିମ୍ୱା ଅଜଣାରେ ଘର ହିଁ ବସାନ୍ତି ।

ସ୍ମୃତିମାନେ ଚିରକାଳ ଏମିତି
ସେମାନେ କେତେବେଳେ ଖରାଟିଆ ଝାଞ୍ଜି
ପୁନଶ୍ଚ ଅଦିନିଆ ବର୍ଷା
ତଥାପି ପ୍ରେମିକଟିଏ ଆଉଟୁଥାଏ
ପ୍ରଥମ ପ୍ରେମ ସୁଖ ମନରେ ।

ଲୋକପ୍ରିୟ ଲେଖା

To Top