କବିତା

ପ୍ରିୟା ଓ ବର୍ଷା

Matrudatta Mohanty's Odia Poem Priya O Barshaa

ଶ୍ରାବଣ ଆଖିରେ ଲୁହ
ଛାତିରେ ଛାତିଏ କୋହ
କଇଁ କଇଁ କାନ୍ଦି କହେ
ରାତି ତା’ର କେହି ନୁହଁ !

ପ୍ରିୟା ଓ ବର୍ଷା

ଅମାନିଆ ଅନ୍ଧାର ରାତି
ବର୍ଷାରେ ଭିଜୁଛି ଦେହ
ତଥାପି ମନରେ ତାତି !

ଶ୍ରାବଣ ଆଖିରେ ଲୁହ
ଛାତିରେ ଛାତିଏ କୋହ
କଇଁ କଇଁ କାନ୍ଦି କହେ
ରାତି ତା’ର କେହି ନୁହଁ !

ମୁଁ ବି ଜାଣେନା ସିଏ
କାହିଁକି ଭିଜାଏ ମୋତେ
କାହିଁକି କେଜାଣି କହେ
ଦୁଃଖ ସବୁ ତା’ର ଯେତେ !

କାହିଁକି ଜଳେ ମୁହିଁ
ପ୍ରତି ରାତି ବରଷାରେ
କାହିଁକି ଅନ୍ଧାର ଘୋଟିଛି ଆଜି
ମୋ ମନର ଆକାଶରେ !

ମୋ ମନ ବେଦନା କଥା
ବୁଝେ ନାହିଁ ବର୍ଷା ସିନା
ମୁଁ କିନ୍ତୁ ଜଳି ମରେ
ଏକା ଏକା ପ୍ରିୟା ବିନା !

ମନର ନାୟିକା ମୋର
ତା’ ଗାଁରେ ଭିଜୁଥିବ,
ଝରକା ପାଖରେ ଥାଇ
ତା’ ବେଣୀକୁ ଝାଡୁଥିବ,
ବ୍ୟସ୍ତ ଅଳସ ଦେହେ ତା’ର
ତାତି କେତେ ଭରିଥିବ,
ସେଦିନ ପରଶ କଥା
ମନେ ମନେ ଭାବୁଥିବ !

ପାଦରୁ ପାଉଁଜି ଖୋଲି
ରଖିବ ତା’ ଅଗଣାରେ,
ଗଭାରୁ କାଢ଼ିବ ଫୁଲ
ବସି ଦୀପ ଆଲୁଅରେ,
ଆଖିରୁ କଜଳ ଲେସି
ଆଇନା ଦେଖିବ ଯେବେ
ମୋ ମୁହଁ ଦିଶୁଥିବ
ତାକୁ ତା’ର ଆଇନାରେ !

ବର୍ଷାକୁ କହିଛି ଅନେକ ଥର
ତୋ ପରି ଠିକ୍ ସିଏ
ଯେ ଅଟେ ପ୍ରିୟା ମୋର !

ଏ ରାତିରେ ତୁ ସିନା
ଭିଜାଇଛୁ ଦେହ ମୋର
ମୋ ପ୍ରେମିକା ପୀରତିରେ
ଭିଜୁଛି ମୁଁ ବାରମ୍ୱାର !

ଲୋକପ୍ରିୟ ଲେଖା

To Top