ପ୍ରେମର ସନ୍ତକ ରୂପେ
ତୁମେ ବଂଶୀ ଯାଚି ଦେଇଥିଲ
ସେ ଯାଚି ଦେଇଥିଲା ତା “ଧାଇଁବାପଣ” ।
ତୁମେ ସଂସାର ପାଇଁ ଜୀବନକୁ ବାଜି ଲଗେଇଲ
ସେ ତୁମ ପାଇଁ ନିଜକୁ,
ସମସ୍ତ ପାପପୂଣ୍ୟ ବିନିମୟରେ !
ବଂଶୀର ତାନରେ ତୁମକୁ ଖୋଜୁଖୋଜୁ
ସେ “ତୁମେ” ପାଲଟି ସାରିଥିଲା !
ମନ ପବନ ଘୋଡାରେ ଧାଇଁବନି ବୋଲି
ପାଦରେ ଛନ୍ଦି ଦେଇଥିଲା ତୁମ ପ୍ରୀତିର ଶୃଂଖଳ
ହୃଦୟରେ କୃଷ୍ଣ ରଙ୍ଗ ନେସି ଦେଇଥିଲା
ଅନ୍ୟରଙ୍ଗ ସେଠି ଚଢି ପାରିବନି ବୋଲି
ପ୍ରେମ ତୁମେ କଲ,ଜୀଇଁଲା ସେ
ବଂଶୀରେ ସୁର ଭରିଲ ତୁମେ
ପଡିଉଠି ଧାଇଁଲା ସେ !
କେବେ ପ୍ରୀତି ତ କେବେ ବିରହରେ
ଜାଳିଲ ତାକୁ ..ଖୁବ୍ ଜଳିଲା ବି ସେ !
ନିନ୍ଦା ଅପବାଦକୁ ଧରି ସେ
ରହିଗଲା ତା “ରାଧାପଣ” ଭିତରେ !
ଆଉ ତୁମେ ,ତୁମ ଈଶ୍ୱରପଣରେ !
ସତରେ କଣ ବଂଶୀ ବାଜେ ତୁମ ଓଠରେ !
ନା ରାଧା ତୁମ ଅଧରରେ ସୁରଟେ ହେବାକୁ
ମିନତି କରେ ବଂଶୀ ହୋଇ !
କେବେ ରାଧା ହୋଇ ଦେଖ..
ଅଧା ବି ତୁମେ..ଆଉ ଅଧା ବି ସେ !