କବିତା

ରେସ୍ ର ଘୋଡା

Binay Mohapatra's odia poem Race ra Ghodaa
ରେସ୍ ର ଘୋଡା

ମୋତେ ବଡ ମଣିଷ ହେବାକୁ ଅଛି
ଜଣା ନାହିଁ କେତେ ବଡ,
ମୋତେ ଆଗକୁ ବଢିବାକୁ ଅଛି
ମୁଁ ଜାଣେନା ଏ ଯାତ୍ରା କେତେ ଦୂର।

ମୋତେ ଶୀର୍ଷରେ ପହଂଚିବାକୁ ଅଛି,
ହେଲେ ଶୀର୍ଷ ଏଠି କେବେ
କାହାକୁ ନଜର ଆସେନାହିଁ ।।

ବିନା ଲଗାମର ଘୋଡାଟିଏ ପରି
ସଇସର କଥା ମାନେ ନାହିଁ ।

ଲୋଭ, ଅହଂକାର, ବଡ ହେବାର
ଅଦମ୍ୟ ଲାଳସା ର କୋରଡା,
ଆତ୍ମାକୁ ମୋର ନିର୍ଲଜ୍ଜ କରିଛି ।

ଅସୀମର ପଛରେ ଆଖି ବୁଜି
ଧାଇଁଛି ମୁଁ, ସତେ ଅବା
ମୃଗତୃଷ୍ଣା ପଛେ,
ବୁନ୍ଦାଏ ନୁହଁ,
ଅସରନ୍ତି ପାଣି ର ଆଶାରେ ।।

ମୁଁ ତ ଧାଇଁଛି ରାତି ଦିନ
ସକାଳ ଓ ସଂଜ,
ମୁଁ ଧାଇଁଛି ଭୋକ ଶୋଷ ଭୁଲି ।

ମାଆ, ବାପା, ପତ୍ନୀ, ପୁତ୍ର
ବନ୍ଧୁ, ପ୍ରିୟଜନ
କେବେଠୁ କେତେ ପଛେ ରହି ଗଲେ
ତଥାପି ମୁଁ ଅଣନିଶ୍ଵାସ ଧାଇଁଛି
ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି।

ପଛକୁ ଫେରି ଚାହିଁବାକୁ ସମୟ ନାହିଁ,
ଶୀର୍ଷ ତ ତଥାପି ବହୁତ ଦୂର,
ଦିନ ସରି ଆସିଲାଣି ପଥ ଦିଶୁନାହିଁ,
ଆଗକୁ ଚାହିଁଲି,
ଆନନ୍ଦରେ ଅଟ୍ଟହାସ କଲି।

ମୁଁ ବିଜେତା ମୋ ଆଗେ,
କେହି ଜଣେ ନାହିଁ ।

ପଛକୁ ଚାହିଁଲି,
ଦୂର ଦିଗ୍‌ବଳୟ ପର୍ଯ୍ୟନ୍ତ,
କେହି ଜଣେ ବି
ଦୃଷ୍ଟିକୁ ଆସୁ ନାହାନ୍ତି।

ମୁଁ ହିଁ ଶ୍ରେଷ୍ଠ, ମୁଁ ଉତ୍କୃଷ୍ଠ
ମୁଁ ବିଜେତା ମୋଠାରୁ ବଡ
ଦୁନିଆରେ କେହି ନାହିଁ ।

ଆରେ ମୋର ବିଜୟରେ ତାଳି ବଜାଅ,
ଶଙ୍ଖ ଫୁଙ୍କ, ହୁଳ ହୁଳି ଦିଅ,
ମୋ ସଫଳତା ପାଇଁ
ମୋତେ ମାଳା ପିନ୍ଧାଅ ।

ଏପଟେ ଦେଖିଲି, ସେପଟେ ଦେଖିଲି,
ବାମ କୁ ଚାହିଁଲି, ଡାହାଣେ ଚାହିଁଲି,
ମୋ ଚାରିପଟେ
ଲୋକଙ୍କର ଭିଡ ଖୋଜୁଥିଲି ।

ହେଲେ ଏଠି କେହି ବି ତ ନାହିଁ !

ବଡ ହେବାର ନିଶାରେ ମୁଁ
ଅନ୍ଧ ମୁହାଁ ଧାଉଁଥିଲି।

ଜନ ଜନପଦ, ପ୍ରିୟ ପରିଜନ
ସବୁକିଛି କେତେ ପଛରେ ରହିଗଲେ।

ମୋ ସଫଳତାର ଉତ୍ସବ ମନେଇବାକୁ
ଏଠି କେବଳ ମୁଁ, ହଁ କେବଳ ମୁଁ,
ମୋ ଛଡା ଆଉ କେହି ନାହିଁ।

ମୁଁ ହସିବି ନା କାନ୍ଦିବି,
ବାହା ଟେକି ଚିତ୍କାର କରିବି, ନା
ଅରଣ୍ୟ ରୋଦନ,
ମୁଁ ଭାବି ପାରୁନାହିଁ ।।

ଏତେ ବୈଭବ ଏକାଠି କରିଲି।

ମୁଁ ସବୁ କିଛି ପାଇ ଗଲି?

ନା’ ସବୁକିଛି ହରାଇ ବସିଲି?

ତଥାପି ଗୋଟିଏ ପ୍ରଶ୍ନ
ଏବେ ବି ମନରେ
ଛୁଇଁଲେ ସୁନା
ମୋ ପାଇଁ ବରଦାନ ହେଲା
ନା ବରଦାନର ମୁଖଟାରେ
ଅଭିଶାପ ଥିଲା ???

ଲୋକପ୍ରିୟ ଲେଖା

To Top