କବିତା

ରଚନା : ନଈବଢ଼ି

Niranjan Jena's odia poem Rachanaa Naibadhi

ସତସତିକା ଡଙ୍ଗା ହୋଇ ଛୁଟେ-
ଗାଁ ଗୋହିରୀ, ତଳମାଳ ଓ ରାସ୍ତା
ଘାଟ । ଆଖି ପାଉନଥିବା ପାଣି
କାତ ଠିକୁନଥିବା ନଈ କେଉଁଠି
ବିଲୁଆଖାଇ ତ କେଉଁଠି

ରଚନା : ନଈବଢ଼ି

କାଗଜର ବାଘ ବେଳେ ବେଳେ
ଏମିତି ଡରାଏ । ଝୁଅର ରଚନା
ଖାତାର ନଈବଢ଼ି କୂଳ
ଉଛୁଳାଏ । ଛତିଶ ଗଡ଼ର ବର୍ଷା-
କେତେ ଗଡ଼ଜାତ ଡେଇଁ,
ସମତଳ ଛୁଇଁ ସମୁଦ୍ରକୁ ଯାଏ ।
ନଈ ପାଣି ଚାଟିନିଏ ବାଟି ବାଟି
ଫସଲ, ଘର ଦୁଆର, ସ୍ଥାବର-
ଅସ୍ଥାବର ଗାଁ ଦାଣ୍ଡରେ କୁନିପୁଅ
ଭସାଉଥିବା କାଗଜର
ଡଙ୍ଗା, ମଟର ବୋଟ ଓ ଷ୍ଟିମର୍

ସତସତିକା ଡଙ୍ଗା ହୋଇ ଛୁଟେ-
ଗାଁ ଗୋହିରୀ, ତଳମାଳ ଓ ରାସ୍ତା
ଘାଟ । ଆଖି ପାଉନଥିବା ପାଣି
କାତ ଠିକୁନଥିବା ନଈ କେଉଁଠି
ବିଲୁଆଖାଇ ତ କେଉଁଠି
ଦଳେଇଘାଇ !
ଶାଗୁଣା ଭଳି ଉଡ଼ିବୁଲେ
ଉଡ଼ାଜାହାଜ
ଶୂନ୍ୟରୁ ଖସେ ଯାହା
ଶୂନ୍ୟରୁ ଝାମ୍ପି ନିଅନ୍ତି ମହାପାତ୍ର

ପୁଏ । ଯୋଜନାର ଫର୍ଦ୍ଦ
କ୍ଷୟକ୍ଷତିର ଅଙ୍କକଷା ଚାଲେ
ରାଜଧାନୀର ସରକାରୀ
ଫାଇଲ୍ରେ । ନଈବଢ଼ି
ଫେରିଯାଏ ଆପଣା ରାସ୍ତାରେ ।
ମରୁଡ଼ିକୁ ଶଙ୍ଖୁଳେଇ
ଆଣେ ପରବର୍ତ୍ତୀ ସମୟ ।
ନଅଙ୍କର ଦୁଃଖ, ପଞ୍ଚାବନ
ପଚସ୍ତରୀ, ବୟାଅଶି, ବଢ଼ିର
କରାଳ ଏବଂ ମହାବାତ୍ୟର ବଳ

ଅଙ୍ଗେ ଅଙ୍ଗେ ଲିଭେଇଚି
ଓଡ଼ିଶା । ସିଏ ଜାଣିଛି- ଏମିତି
କେତେ କେତେ ଦୁର୍ବିପାକ ଆସିବ
ଓ ଯିବ । ଛାତିକି ପଥର କରି
ବଞ୍ଚିଯିବାଟା ବୋଧହୁଏ ରଚନା
ଖାତାର ନଈବଢ଼ି ଓ ଏବର
ନଈବଢ଼ି ଭିତରେ ଫରକ ଏତିକିଯେ
ନଈବଢ଼ି ଛପାଯାଏ ଖବରକାଗଜରେ
ଝୁଅ ମୋର ଲେଖୁଛି
କାଗଜ କାଳିରେ ।

ଲୋକପ୍ରିୟ ଲେଖା

To Top