କବିତା

ରେଲୱେ ଷ୍ଟେସନ

Prakash Sahoo's odia poem Railway Station

ସାଙ୍ଗରେ ଥାଏ କିଛି ବ୍ୟକ୍ତିଗତ,
ଜିନିଷ, ଘର ଲୋକଙ୍କ ପାଇଁ କିଛି କପଡା,
ଦାଦାଙ୍କ କୁନି ଝିଅ ପାଇଁ,
କିଛି ଚକୋଲେଟ, ବୁଢ଼ୀ ମା ପାଇଁ,
ରେଶମ କପଡା ଏମିତି କିଛି ଥାଏ ।
ଆଉ କାହା କଥା ଭାବୁଛନ୍ତି କି ?

ରେଲୱେ ଷ୍ଟେସନ

ବ୍ରିଜ ପାର ହେଲା ପରେ,
ପାଇପ ଲାଇନ ଆଉ ମାଲକାପୁରମ ,
କ୍ରସ କରିଲା ପରେ,
ଆସେ ରେଲୱେ ଷ୍ଟେସନ ।
କର୍ମ କ୍ଷେତ୍ର ଠୁ ମାତ୍ର ଦୁଇ କୋଷ ଦୂର।
ଅନେକ ଦିନର ଅପେକ୍ଷା ପରେ,
ଆସେ ସେ ଦିନ । ରେଲୱେ ଷ୍ଟେସନ
ଯିବାକୁ, ଖୁସି ର ସୀମା ନ ଥାଏ।
କାରଣ ଟା କାହାକୁ ଅଜଣା ନ ଥିବ।

ତଥାପି ପଚାରି ପାର ଯଦି,
ମନ ରେ ଦ୍ୱନ୍ଦ ରହିଥାଏ ସେହି ପୁଅ
କୁ, ବାପାକୁ ଅବା ଭାଇ କି ସ୍ୱାମୀକୁ ।
ଷ୍ଟେସନରେ ବାରମ୍ବାର ଏନାଉନ୍ସମେଣ୍ଟ
ଚା ବାଲା, ଫେରିବାଲା, ଠେଲା ଗାଡି
ସମସ୍ତେ ତତ୍ପର ପ୍ଲାଟଫର୍ମ,
ହୋଇଉଠେ ଚଳ ଚଞ୍ଚଳ,
ଟ୍ରେନ ଚଢ଼ିବା ପାଇଁ ସମସ୍ତେ ବ୍ୟସ୍ତ।

ସାଙ୍ଗରେ ଥାଏ କିଛି ବ୍ୟକ୍ତିଗତ,
ଜିନିଷ, ଘର ଲୋକଙ୍କ ପାଇଁ କିଛି କପଡା,
ଦାଦାଙ୍କ କୁନି ଝିଅ ପାଇଁ,
କିଛି ଚକୋଲେଟ, ବୁଢ଼ୀ ମା ପାଇଁ,
ରେଶମ କପଡା ଏମିତି କିଛି ଥାଏ ।
ଆଉ କାହା କଥା ଭାବୁଛନ୍ତି କି ?

ଓଃ ବୁଝିଲି ତା ପାଇଁ,
ସେ ତ ପ୍ରତି ମୁହୂର୍ତ୍ତଆଉ ପ୍ରତି ଦିନ,
ପ୍ରଶ୍ନ କରେ ଆସିବାର ନିର୍ଦ୍ଦିଷ୍ଟ ଦିନ,
ବିଷୟରେ ମୁଁ ପହଞ୍ଚି ଗଲେ ଯଥେଷ୍ଟ ।
ମୋତେ ଆଖି ପୁରେଇ ଦେଖିନେଲେ,
ଖୁସି ରେ ଆତ୍ମ ହରା ହୋଇଯାଏ ସେ ।

ହଠାତ ପାଦ ପଡେ ରେଲୱେ ଷ୍ଟେସନରେ,
ଶିହରଣ ଖେଳିଯାଏ ଦେହ ସାରା ।
ପଛକୁ ଛାଡି ଆସେ କର୍ମ କ୍ଷେତ୍ରର,
ସମସ୍ତ ବ୍ୟଥା, ଚିନ୍ତା ଆଉ ବ୍ୟସ୍ତତା,
ଫେରି ଆସେ ମୋର ସେହି ଗାଁ ର,
ପରିବେଶ କୁ ଯେଉଁଠି ନ ଥାଏ ,
ସିଟି ପରି ଗାଡିର ଅପ୍ରୀତିକର ଶବ୍ଦ
କି ପ୍ରଦୂଷିତ ଜଳବାୟୁ , ଅନେକ କିଛି
ଭାବନା ଆସିଯାଏ ଆପେ
ଆପେ ମନକୁ ଠିକ ଫୁଲ ପାଖୁଡା
ଭଅଁରକୁ ଆକୃଷ୍ଟ କଲା ପରି ।

ଲମ୍ବା ହର୍ଣ୍ଣ ମାରି ପହଞ୍ଚିଯାଏ ,
ଟ୍ରେନ ଷ୍ଟେସନରେ ଦୋହଲି ଯାଏ ।
ପୁରା ପ୍ଲାଟଫର୍ମ ଦୁଆର ମୁହଁରେ,
ଭିଡ଼ ଚଢ଼ିବା ଆଉ ଓହ୍ଲାଇବା ପାଇଁ ।
ଏଥର ବିଦାୟ ନିଏ ମୋ ବନ୍ଧୁ ଙ୍କ
ଠାରୁ, ଆସିଥାନ୍ତି ମୋ ସହିତ
ଏହି ଷ୍ଟେସନ ଯାଏ ।
ଘରେ ପହଞ୍ଚି କଲଟିଏ ଅବା ହ୍ୱାଟ୍ସଆପ
ରେ ମେସେଜ ଟେ ଦେବାକୁ,
ପ୍ରତିଶ୍ରୁତି ଦିଏ ସେମାନଙ୍କୁ ।

ବସିଯାଏ ବଗି ର ଗୋଟେ କୋଣରେ ।
ଅନେକ ଅଚିହ୍ନା ଆଉ ଅଜଣା,
ମଣିଷଙ୍କ ସହିତ ସତେ ଯେପରି
କୋଣସି ବିଷୟ ରେ କ୍ଲାସ ଚାଲିଛି ।
ଆଉ ମୁଁ ବିଳମ୍ବରେ ପହଂଚିଛି ।
ସମସ୍ତଙ୍କ ନଜର ମୋ ଉପରେ ।

ନିଜକୁ ଠିକ ଭାବେ ବସାଇ,
ଆଖି ବୁଲାଇ ଦିଏ ବଗି ଆଡେ ।
କାହା ମୁହଁ ରେ ସୁଖ ।
ଆଉ କାହା ମୁହଁ ରେ ଦୁଃଖ ।
କିଏ ଲୁହା ଝରକା ରେ ବାହାର ପ୍ରକୃତି,
କୁ ଉପଭୋଗ କରୁଛି ଆଉ କିଏ,
ବିତିଯାଇଥିବା ଖୁସି ର ମୂହୁର୍ତ୍ତ,
ର ଫୋଟୋ କୁ ମୋବାଇଲ ରେ ଦେଖୁଛି ।
କିଏ ମାଗାଜିନ୍‌ଟେ ଧରି ପଢୁଛି ।

ଏମିତି ଦୃଶ୍ୟ ଦେଖୁ ଦେଖୁ,
ମୋ ମନ ରେ ଅନେକ ପ୍ରଶ୍ନ ବସା,
ବାନ୍ଧିଛି କିଏ ଫେରିଛି ତା ,
ଦୂର ଦେଶରୁ ଠିକ ମୋ ପରି,
ଦେଖିବ ପ୍ରିୟାର ମୁହଁ ଚାହିଁଥିବ ।
ସେ ଘଣ୍ଟାର ମିନିଟ୍‌ କଣ୍ଟାକୁ ,
କେବେ ପହଞ୍ଚିବ ତାର ପ୍ରିୟା ।

କିଏ ପ୍ରଥମ ଥର ପାଇଁ ଗାଁ ଛାଡି ,
ଯାଉଛି ସୁଦୂର ସୁରାଟ କି ବାଙ୍ଗାଲୋର
କିଛି ଅର୍ଥ ଯୋଗାଡ଼ କରିବା ପାଇଁ,
ସାନ ଭଉଣୀର ବାହାଘର ପାଇଁ
ପରିବାରର ବୋଝ କୁ ନିଜ ମୁଣ୍ଡକୁ,
ନେଇ ଚାଲି ଆସିଛି ସେ ଆଖିରେ,
ଲୁହ ଆଉ ଛାତିର କୋହ ,
ଲୁଚାଇ ବାକୁ ଚେଷ୍ଟାରତ ସେ ।

ବୃଦ୍ଧା ବାପା ପାଇଁ କିଏ ବ୍ୟାକୁଳ,
ଯେତେ ଶୀଘ୍ର ପହଞ୍ଚିବ ଘରେ ।
ବୁଢା ବାପା ମା’ଙ୍କ ସହିତ,
ଦୁଇ ପଦ କଥା ହେବ ତାଙ୍କ
ସୁଖ ଦୁଃଖ କଥା ବୁଝି,
ନିଚିନ୍ତ ରହିବ ସେ ।

କହିଥିଲା ସେ ଆସିବ,
କେଡେ ମନ ନେଇ ଚାହିଁଥିବ,
ଆଖୁ ରେ ଆଖି ମିଶିବ,
କେଉଁ ରେଷ୍ଟୁରାଣ୍ଟ ଅବା ପାର୍କରେ ।
ଭାବି ଭାବି ଛାଡିଲା ସେ ଷ୍ଟେସନ,
ଦୁରତା ତାକୁ ବାଧୁଛି,
ମନ ବି ଅଥୟ ତାର ।

ହସ୍ପିଟାଲ କୁ ଯିବାକୁ ହେବ,
ମେଡିସିନ ୱାର୍ଡରେ ଭାଇକୁ ଦେଖା,
କରିବ ବାରମ୍ବାର ପ୍ରଭୁଙ୍କୁ ଗୁହାରି,
ଭାଇ ତାର ଭଲରେ ଥାଉ,
ଝଟ୍‌ପଟ୍‌ ରିକ୍ସା ଖୋଜିବ,
ମୁଲଚାଲ ନ କରି ଫିକ୍ସ ରେଟରେ
ରିଜର୍ଭ କରି ଚାଲିଯିବ ବେଗି ।

ବ୍ୟାଗରେ ଗୁଡାଏ ବହି,
ବାଟ ସାରା ପଢି ପଢି କିଏ ବା ହାଲିଆ,
ଦିନ ଦଶଟାରେ ଇଣ୍ଟରଭିଉ,
ଛାତି ଧଡ଼ ଧଡ଼।
ମୋର ବି ହୋଇଛି ଏମିତି ଅନୁଭବ ।
ସୁଲଭ ଶୌଚାଳୟ ବା ହୋଟେଲରେ,
କାମ ସାରି ହେବ ସେ ସଜବାଜ,
କ୍ଲୋକ ରୁମ ରେ ଜିନିଷ ରଖି,
ଠିକ ସମୟ ରେ ପରୀକ୍ଷାରେ ପହଞ୍ଚିବ ।

ଶେଷ ରେ ସମସ୍ତ ଆଶାକୁ,
ଏକାଠି କରି ଟ୍ରେନ ଛାଡେ ଷ୍ଟେସନ ।
ଝରକା ବାଟେ ବନ୍ଧୁଙ୍କୁ,
ହାତ ହଲାଇ ଏଥର ବିଦାୟ ନିଏ ।

ଲୋକପ୍ରିୟ ଲେଖା

To Top