କବିତା

ରଜ ଆମେ ପାଳି ପାରିଲେ ହେଲା

Jitendriya Rout's odia poem Raja Aame Paali Paarile Helaa

ଆକାଶକୁ ଢାଙ୍କି ଦେଲାଣି ମେଘ,
ଭାରି ଗୁଳୁଗୁଳି ରହୁଛି ପାଗ,
ଗଛ ପତରତ ଟିକିଏ ହଲୁନି
ଘରେ ରହିବାକୁ ଲାଗୁନି ବାଗ ।

ରଜ ଆମେ ପାଳି ପାରିଲେ ହେଲା

ଆକାଶକୁ ଢାଙ୍କି ଦେଲାଣି ମେଘ,
ଭାରି ଗୁଳୁଗୁଳି ରହୁଛି ପାଗ,
ଗଛ ପତରତ ଟିକିଏ ହଲୁନି
ଘରେ ରହିବାକୁ ଲାଗୁନି ବାଗ ।

ବୁଝିକି ପାରୁନୁ ଚଷାର ପୁଅ,
ତା’ହେଲେ ତୁ ଜମା ଭିଡ଼କୁ ନୁହଁ,
ଘରେ ଯା’ ବାପାକୁ ପ୍ରଶ୍ନଟେ କରିବୁ
ଆଗକୁ ଆସୁଛି କ’ଣ କୁହ ?

ଘରେ ଯାଇ ପୁଅ ପହଞ୍ଚିଗଲା
ବାପାଙ୍କୁ ଡାକି ସେ ପଚାରି ଦେଲା,
କହିଲା “ବାପା ଏତେ ଗୁଳୁଗୁଳି କାହିଁକି ହଉଛି
ଟିକିଏ ବୁଝେଇ କହିଲ ଭଲା !”

କହିଲେ ବାପା
ତୋ ବାପା ମୁଁ ଚଷା ଚାଷ କରୁଛି,
ଆମ ଗାଁ ବାରିକ କେଶ କାଟୁଛି,
ଆମ ଗାଁ ତନ୍ତି ଲୁଗା ବୁଣୁଛି,
ଆମ ଗାଁ ଚମାର ଗଛ ଧରୁଛି,
ଆମ ଗାଁ କମାର ଲୁହା ପିଟୁଛି.
ଆମ ଗାଁ କୁମ୍ଭାର ହାଣ୍ଡି ଗଢୁଛି,
ଆମ ଗାଁ ଧୋବା ଲୁଗା କାଚୁଛି,
ବରଷ ଯାକ କାମ କରି କରି ଭୁଲିଛି ଭୋକ
ଏଇ ଗୁଳୁଗୁଳି ସୂଚନା ଦେଉଛି
କାମ ବନ୍ଦ କର ଆଗକୁ ଆମର ରଜ ଆସୁଛି ।

ରଜରେ ସମସ୍ତେ ଏକାଠି ହେବେ,
ଝିଅ ବୋହୂମାନେ ଦୋଳି ଖେଳିବେ,
ପୁଅମାନେ ମିଶି ବାଗୁଡ଼ି କବାଡ଼ି
ଲୁଡୁ ତାସରେ ସମୟ ଦେବେ ।

ତିନିଦିନ ପାଇଁ ରଜ ଆସିବ,
ତିନିଦିନ ଆମ ଗାଁ ହସିବ,
ଦେଖିବୁ ପୁଅ ରଜ ତିନି ଦିନ
ତୋ ଗାଁ କେତେ ଭଲ ଲାଗିବ ।

ଆସିଲା ରଜ ହେଲା ମଉଜ,
ଭାଇକୁ ଡାକିକି କହେ ଭାଉଜ,
ଏଥର ରଜରେ ପାର୍କ ଯିବା
ସି ବିଚ୍ ଆଡ଼େ ବୁଲି ଆସିବା
ବରଷ ଯାକ ଘରେ ବସି ବସି
ମୋ ଦେହ ହାତ ହେଲା ଦରଜ ।

ପୁଅ ବୋହୂ ଏଣେ ପାର୍କ ଗଲେ,
ବୁଢ଼ା ବାପା ମାଆ ଘରେ ଶୋଇଲେ,
ତାଙ୍କ ରଜ କଥା କିଏ ସେ ପଚାରେ
ଭୋକ ଉପାସରେ ମଲେ କି ଗଲେ !

ଆଉ ଗୋଟେ ପୁଅ ମଦ ପିଇକି,
ଚିକେନ୍ ମଟନ ଭୋଜି ଖାଇକି,
ଅଭଦ୍ର ଭାଷାରେ ବାପାଙ୍କୁ ଶୋଧୁଛି
ତମେ ମୋ ପାଇଁ କ’ଣ କଲକି ?

ପେନସନ୍ ଟଙ୍କା ବାପା ପାଉନି,
ଓଷଦ ଅଭାବେ ବୁଢ଼ୀମା’ଟାର ନିଦ ହଉନି,
ଚାକିରିଆ ବୋହୂ ରଜରେ କ୍ଲବରୁ ଫେରି
ପୁଅକୁ କହୁଛି ଏତେ ଲୋକ ମରୁଛନ୍ତି
ତମ ବୋଉଟା କୋଉଠି ମରି ଯାଉନି !

ନଣନ୍ଦ ଯାଉଛି ଭାଉଜ ସାଥେ,
ଆଣ୍ଡ୍ରଏଡ୍ ମୋବାଇଲ୍ ଧରିଛି ହାତେ,
ପ୍ରେମିକକୁ ଏଣେ ମେସେଜ୍ କରୁଛି
ଆମ ଗାଁ ମୁଣ୍ଡରେ ଦୋଳି ଲାଗିଛି
ସେଇଠି ଆସି ମୋତେ ଦେଖାକର
ଭଲ ଯଦି ମୋତେ ପାଉଛ ଏତେ ।

ପ୍ରେମିକ ସାଥିରେ ଗଲା ପ୍ରେମିକା,
ଗାଁ ମୁଣ୍ଡେ ଭାଉଜ କଲା ଅପେକ୍ଷା,
ସଞ୍ଜ ଯାଇ ରାତି ଘଡ଼ିଏ ହେଲାଣି
ନଣନ୍ଦର ସେଠି ନାହିଁରେ ଦେଖା ।

ଲୁଣ ଚୋର ପରି ଭାଉଜ ହୁଏ,
କାହାକୁ କିଛି ସେ କହୁ ନଥାଏ,
ପଚାରିଲେ କିଏ ଏତିକି କୁହେ
ରଜ କରିବାକୁ ଡାକି ନେଇଗଲେ
ତାଙ୍କର ପୁରୁଣା ସାଙ୍ଗ ସାଥିଏ ।

ହଜିଛି ଗାଁ ଦାଣ୍ଡୁ ବାଗୁଡ଼ି ଖେଳ,
ଝିଅ ବୋହୂଙ୍କର ସେ କୋଳାହଳ,
ଏଣ୍ଡୁରି, ପୋଡ଼ର ମହକ ନାହିଁ
ମଦ, ମାଂସ ପାଇଁ ପଡ଼େ ଚହଳ ।

ରଜ ପରେ ଆସି ପୁଅ କହିଲା,
ତୁମ କଥା ସବୁ ଭୁଲ୍ ହେଲା,
ଯେତେ କଥା ସବୁ କହିଥିଲ ମୋତେ
କୌଣସି କଥା ତ ସତ ନଥିଲା ।

ହସି ଦେଇ ତା’ର ବାପା କହିଲା,
ତୁ ଯାହା ଦେଖିଲୁ ସେ ଠିକ୍ ଥିଲା,
ରଜ ଆମ ପାଇଁ ଆସୁଛି ସତରେ
ଆମେ ତାକୁ ପାଳି ପାରିଲେ ହେଲା ।

ଲୋକପ୍ରିୟ ଲେଖା

To Top