କବିତା

ସାମ୍ନା ଘର ଝିଅ

Matrudatta Mohanty's odia poem Saamnaa Ghara Jhia

ସେ ଯେବେ ପାହାନ୍ତାରୁ ବିଛଣାରୁ ଉଠି
ତା’ ଅସଜଡ଼ା କେଶକୁ ଭିଡ଼ି ଧରି ଗଣ୍ଠି ଦିଏ
ମୋ ଆଶା, ଆକାଂକ୍ଷା
ତାକୁ ନେଇ ଦେଖିଥିବା ସ୍ୱପ୍ନ ସବୁ
ଆପଣା ଛାଏଁ ଗଣ୍ଠି ପଡ଼ିଯାଏ ।

ସାମ୍ନା ଘର ଝିଅ

ସେ ଯେବେ ତା’ ପାଦ ଆଙ୍ଗୁଠିରେ
ଭୂଇଁରେ ଗାର ଟାଣେ
ମୋ ହୃଦୟରେ
ଲକ୍ଷେ ଗାର ଟାଣି ହୋଇଯାଏ ।

ସେ ଯେବେ ପାହାନ୍ତାରୁ ବିଛଣାରୁ ଉଠି
ତା’ ଅସଜଡ଼ା କେଶକୁ ଭିଡ଼ି ଧରି ଗଣ୍ଠି ଦିଏ
ମୋ ଆଶା, ଆକାଂକ୍ଷା
ତାକୁ ନେଇ ଦେଖିଥିବା ସ୍ୱପ୍ନ ସବୁ
ଆପଣା ଛାଏଁ ଗଣ୍ଠି ପଡ଼ିଯାଏ ।

ସେ ଯେବେ ବାଲକୋନିର ଲୁହା ଗ୍ରୀଲ୍‌କୁ
ତା’ ନରମ ହାତରେ ଚାପି ଧରି
ପହିଲି ବର୍ଷାକୁ ଛୁଇଁ ନ ପାରିବାର ଗ୍ଲାନିରେ
ଲୁହଧାର ଝରେଇ ଦିଏ
ମୋ ଆତ୍ମାରେ ବସା ବାନ୍ଧିଥିବା ଦୁଃସ୍ୱପ୍ନ ସବୁ
ଆପଣା ଛାଏଁ ଧୋଇଯାଏ ।

ସେ ଯେବେ ସଞ୍ଜବତୀ ଧରି
ଚଉରାକୁ ଝୁଙ୍କି ଚାହେଁ
ତାଙ୍କୁ ଛୁଇଁ ନ ପାରିବାର ଗ୍ଲାନିରେ
ମୁଁ ତୁହା ତୁହା ଜଳିଯାଏ ।

ତା’ ଅନିଚ୍ଛାରେ କିମ୍ୱା ଇଚ୍ଛାରେ
ମୋ ଆଖି ସହ ଯେବେ ମିଶି ଯାଏ ଆଖି ତା’ର
ସେ ଦୃଷ୍ଟି ଫେରାଇ ନିଏ
ଭୂଇଁରେ ଲୋଟୁଥିବା ଅନାବନା ଘାସଫୁଲକୁ
ଅବା ନୀଳ ଆକାଶର କଳା ବାଦଲକୁ ।

ତା’ ମହକରେ
ମୋ ହୃଦୟରେ ପଦ୍ମ ଫୁଟେ,
ତା’ ଓଦା ଜଡ଼ସଡ଼ ଚାହାଁଣୀ
ମୋ ଇସାରାକୁ ବୁଝି ନ ବୁଝିବାର ଠାଣି
ମୋତେ ବାରମ୍ୱାର ତା’ ପାଖକୁ ଫେରାଇ ନିଏ ଭାବନାରେ ।

ଖାସ୍ ସେଇଥିପାଇଁ
ସେ ଆସେ ବାରମ୍ୱାର ମୋ ସ୍ୱପ୍ନରେ ।

ଦେଇଯାଏ ମୋତେ ତା’ର
ଯେତେ ସବୁ ଲୁହ ଅସରନ୍ତି କୋହ
ମୋ ହାତରେ ଧରେଇ ଦେଇ ଯାଏ
ସ୍ୱପ୍ନର ସୂତା ଖିଅ,
ସେ ଆଉ କେହି ନୁହେଁ
ସେ ମୋ ସାମ୍ନା ଘର ଝିଅ ।

ଲୋକପ୍ରିୟ ଲେଖା

To Top