କବିତା

ସାରାଂଶ

Navajyoti Rai's odia poem Saaraansha

ସେମାନଙ୍କର ସବୁ ବିଦ୍ରୋହର କାହାଣୀ ସରିଯାଏ
ମୋ ସ୍ମିତ ହସରେ
ସବୁ ଯଜ୍ଞର ଆହୁତି ହୋଇଯାଏ
ମୋ ଇଷିକାରରେ ।

ସାରାଂଶ

ସେମାନେ ଯେବେ ମୋତେ
ମାରିବାକୁ ଆସନ୍ତି
ମୁଁ ଖାଲି ଟିକେ ଭ୍ରୁଲତା ଟେକେ
ନଚେତ୍ ନାକ କୁଞ୍ଚାଏ
ସେମାନେ ଆପେ ମରିଯାଆନ୍ତି ।

ସେମାନଙ୍କର ସବୁ ବିଦ୍ରୋହର କାହାଣୀ ସରିଯାଏ
ମୋ ସ୍ମିତ ହସରେ
ସବୁ ଯଜ୍ଞର ଆହୁତି ହୋଇଯାଏ
ମୋ ଇଷିକାରରେ ।

ସେମାନେ ବୁଝନ୍ତିନି ଯେ
ଏପରି ଅନେକ ବାଟହୁଡ଼ା
ସିଂହ ଓ ମୂଷା
ଆଶ୍ରୟ ଲୋଡ଼ନ୍ତି
ମୋ ଶ୍ୟାମଳ ସୁହାଗରେ
ଏମିତିକି ମୋ ଲୁହ ଟୋପାଏ ବି
ହୋଇଯାଏ ମୁକ୍ତା
ଯାହାକୁ ମାଳ କରି ପିନ୍ଧିବାକୁ
ପ୍ରସ୍ତୁତ ଥାଆନ୍ତି
ରାଜା ମହାରାଜା ଓ ସମ୍ରାଟମାନେ ।

ମୁଁ ଯଦି ମନଖୋଲି ହସେ
ତେବେ କଅଁଳି ଯାଏ ସବୁଜ ପତ୍ର
ସବୁ ଶୁଖିଲା ଡାଳରେ
ଜୀବିତ ହୁଅନ୍ତି ନଦୀମାନେ
ସିନ୍ଦୁରା ଫାଟେ ପୂର୍ବାକାଶରେ
ଶୁଭେ ସପ୍ତ ଅଶ୍ୱଙ୍କ ଟାପୁ
ସବୁଆଡ଼େ ସଞ୍ଚରି ଯାଏ ପ୍ରାଣ ।

ହେଲେ ଏମାନେ ଯିଏ ମୋତେ
ଖୋଜୁଥାନ୍ତି ଯୁଗ ପରେ ଯୁଗ
କଳ୍ପରୁ କଳ୍ପାନ୍ତ ଯାଏ
ମୁଁ ମିଳେନି ତାଙ୍କୁ
ଏଇଥି ପାଇଁ ଯେ
ମୋତେ ସେମାନେ ଖୋଜନ୍ତି
କେବଳ ଭଗ୍ନାଂଶରେ
ହୁଏତ ମୁଁ ମିଳିଯାଇଥାନ୍ତି
କେଉଁ ଜଣଙ୍କୁ
ଯିଏ ମୋତେ ଖୋଜିଥାନ୍ତା ସାରାଂଶରେ ।

ଲୋକପ୍ରିୟ ଲେଖା

To Top