କବିତା

ସବୁକଥା କହିହୁଏ କବିତାରେ

Surendra Kumar Behera's odia poem Sabukatha Kahihue Kabitaare

କବିତାର କଥାରେ ତ ଖସିପଡ଼େ
ସରଗରୁ ଚନ୍ଦ୍ର , ସୂର୍ଯ୍ୟ, ତାରା
ପାରିଜାତ ଫୁଲକଢ଼ି , ଉଚ୍ଚୈଶ୍ରବା ଅଶ୍ୱ ସହ
ଐରାବତ ହସ୍ତୀ ଏବଂ ଅନନ୍ୟା ଅପ୍ସରା ।

ସବୁକଥା କହିହୁଏ କବିତାରେ

କିଛିକଥା କହିହୁଏ
କିଛିକଥା କହିହୁଏ ନାହିଁ
ଆଉ କିଛିକଥା ରହିଯାଏ
ଗୋପନରେ ଅକୁହା ତ ଆହା
କିନ୍ତୁ ସବୁକଥା କହିଦେଇ ହୁଏ
କେବଳ ହିଁ ପଦେ ପଦେ କବିତାରେ ଯାହା ।

କବିତାର କଥାରେ ତ ଖସିପଡ଼େ
ସରଗରୁ ଚନ୍ଦ୍ର , ସୂର୍ଯ୍ୟ, ତାରା
ପାରିଜାତ ଫୁଲକଢ଼ି , ଉଚ୍ଚୈଶ୍ରବା ଅଶ୍ୱ ସହ
ଐରାବତ ହସ୍ତୀ ଏବଂ ଅନନ୍ୟା ଅପ୍ସରା ।

କବିତା’ ତ ଚିରକାଳ କଳ୍ପନାର
କଳ୍ପବଟ ତୁଲ
ଆକାଶକୁସୁମ ତୋଳି ମାଟିର ମଲାଟେ ମାଖେ
ଧୋବ ଫରଫର ମୁଠେ ସଜ ମଲ୍ଲୀଫୁଲ ।

କେତେବେଳେ ଭାବରେ ସେ
ଭଗବତୀ ଭବାନୀ ତ ଭାବବିନୋଦିନୀ
ଆଉ କେତେବେଳେ ପୁଣି ମନର ମାନସୀମୁର୍ତ୍ତି
ମମତାରେ ମହମହ
ମହିୟସୀ ମାତୃ ସ୍ୱରୂପିଣୀ ।

କେତେବେଳେ କବିତା ତ ବିପ୍ଲବର ବର୍ଣ୍ଣମାଳା
ବନପଥେ ଜନପଥେ –
ଜେଲ୍‌ ଆଉ ଜୁଲମ୍‌ର ଜୁଇର ଜନ୍ମିତା
ବିଦ୍ରୋହିଣୀ ବହ୍ନିର ବନିତା !
କବିତା ତ’ ଅହରହ ଗୁଳି ହୋଇ
ଫୁଟୁଅଛି,
ମାଓ ନକ୍ସଲ ପୁଣି
ସଂତ୍ରାସର ଶିଳାଦୁର୍ଗେ, ଘୁର୍ଣ୍ଣିର୍ମା ଘାଟିରେ
ବୁନ୍ଦା ବୁନ୍ଦା ଲୁହ ହୋଇ ବହି ଯାଉଅଛି ଦେଖ
ନିର୍ଯାତିତା, ଧର୍ଷିତା ଓ
ବଳାତ୍କୃତା କୁମାରୀ ମାଟିରେ !

କବିତା ତ ବିବେକର ବୀଜମନ୍ତ୍ର
ଚକ୍ର ହୋଇ ନାଶ କରିପାରେ
ଅହଂକାରୀ, ପାପୀ ତାପୀ , ଦର୍ପୀ ଦୁରାଚାରୀ
କବିତା ତ ଚେତନାର ଚକ୍ରମୟୀ କୁଣ୍ଡଳିନୀ
ତ୍ରିଶୂଳିନୀ ଶକ୍ତି ହୋଇ ପ୍ରାସ ଭରିପାରେ
ପ୍ରବୃତ୍ତିର ପ୍ରସ୍ତରରେ…
ପ୍ରାଣ ଆଉ ପ୍ରକୃତିକୁ ନିସ୍ତାରି ନିସ୍ତାରି ।
କବିତା ତା ଆତ୍ମଯୋଗ
ଅନାମ ଜପକୁ ଧ୍ୟାୟି ଅନାୟାସେ ତପ ବରିପାରେ
ସ୍ୱର୍ଗମର୍ତ୍ତ୍ୟପାତାଳରେ
ତୁଷ୍ଟ କରି ଦେବଦେବୀ, ବଶ କରି ବସୁବର୍ଗ, ବାସୁକିମାନଙ୍କୁ
କବିତା ତା ମୌନମୁଦ୍ରା
ପୁଣି ରାମ ନାମ ହୋଇ
ସୃଷ୍ଟି କରିପାରେ
ଉଇହୁଙ୍କା ଅନ୍ଧକାରୁ
ଆଲୋକିତ ଵିଲୋଳିତ ବାଲ୍ମୀକି ମାନଙ୍କୁ ।

ଲୋକପ୍ରିୟ ଲେଖା

To Top