କବିତା

ସାହାନାଇ

Odia Author Chandravanu Malik

ନୟନର ବାଡ଼ବନ୍ଧ ଡେଇଁ
ବହି ଆସେ ଅଶ୍ରୁ ସ୍ରୋତ,
ବାହୁନି ବାହୁନି କାନ୍ଦୁଥିବ,
ଓଠ ଦୁଇକୁ ତୁନି କରିବା ଯାଏ ।

ସାହାନାଇ

ବାପଘରେ ଝିଅଟିର
ଳୀଳା ଖେଳା ସରୁସରୁ
ସଜାହୁଏ ବାହା ବେଦୀ,
ସାଇପଡ଼ିଶା ଓ ଜ୍ଞାତି କୁଟୁମ୍ୱଙ୍କ
ମୁଖ ମଣ୍ଡଳରେ ଖେଳେ ଉଲ୍ଲାସର ପ୍ରତିଛବି ।
ଅଗଣାର ଓଳି ତଳେ
ବାଜି ଉଠେ ଶୁଭ ସାହାନାଇ
ବୈବାହିକ ମଙ୍ଗଳତା ପାଇଁ ।

ମନମୁଗ୍ଧ କଲାପରି ସେ ଝଙ୍କାର
କୁଆଁରୀର କୋମଳ ହୃଦୟରେ
ଆଙ୍କିଦିଏ ଆତଙ୍କତାର ବହ୍ନି ।
ବିଚ୍ଛେଦ ଓ ପ୍ରାପ୍ତ – ପରିଧିର ଅନ୍ତରରେ
ମାତି ଉଠେ ଅସହାୟତାର ଘୂର୍ଣ୍ଣିବଳୟ ।

ନୟନର ବାଡ଼ବନ୍ଧ ଡେଇଁ
ବହି ଆସେ ଅଶ୍ରୁ ସ୍ରୋତ,
ବାହୁନି ବାହୁନି କାନ୍ଦୁଥିବ,
ଓଠ ଦୁଇକୁ ତୁନି କରିବା ଯାଏ ।

ନିର୍ଜନ ବିଷାରଦ ମରୁରେ ଚାଲୁଚାଲୁ
ସେ ଶ୍ୱାସ ନିଏ, ପ୍ରଶ୍ନର ତରୁଣୟା ତଳେ
ସମୟର ଏ କେମିତିକା ଖେଳ ।
ସ୍ନେହ ମମତାର ସୁରକ୍ଷା ବଳୟ ନିକଟେ,
ସତେ ସେ ବୋଧର ପସରା. . .
ଶଙ୍କଟର ସାଥୀବୃନ୍ଦ ଆଜି ଅସମର୍ଥ
ବୋହିବାକୁ କ୍ଷଣ ପାଇଁ ।

ନିରବତାର ବେଳାଭୂଇଁରେ ମୁଣ୍ଡପିଟେ
ଭାବନାର ଅସଂଖ୍ୟ ତରଙ୍ଗମାନ,
ବିଧାତାର ଏ କି ବିଧି !
ଗୋଟେ ପଟେ ଆଶାର ସୂରୁଜ,
ଅସ୍ତ ହୋଇ ଆସୁଥିବା ବେଳେ ।
ଆରପଟେ କେହି ଉଆଁସୀର ଇନ୍ଦୁ ସାଜି
ଉଇଁ ଆସେ ତା’ ଜୀବନର ଆକାଶକୁ
ହାତ ସାଥେ ହାତ ଛନ୍ଦି
ଅଜଣା ରାଜ୍ୟକୁ ଭିଡ଼ି ନେବାକୁ
ପ୍ରୀତିର ନଅର ତଳେ ଜାଗା ଦେବାକୁ ।

ତଥାପି କଳ୍ପନାର ବଉଦ ତଳେ
ଉଙ୍କି ମାରି ଆସେ ବିସ୍ମୟତାର,
ମେଞ୍ଚା ମେଞ୍ଚା ତାରକା ପୁଞ୍ଜି. . .
ସତେ କ’ଣ ଆଗତ ଦୁନିଆଁର ଖୁସି
ଅପସରି ଯାଉଥିବା ଖୁସିଠୁଁ
ଢେର୍ ବେଶି ।

ମେଘମାଳର ପ୍ରେମ ଡୁଜୁବୁଡୁ ମହ୍ଲାର
କ’ଣ ଟପିଯାଇ ପାରିବ
ମମତାର ନାନା ବାୟା ଲୋରୀକୁ ।
ସପନର କାରାଗାରକୁ ଲଙ୍ଘି ଆସେ
ସାହାନାଇର ସେଇ ସୁର
ଦୁହିଁତା ଜନମ ମା’ ଲୋ’
ଦୁଇ କୂଳକୁ. . . ।

ଜ୍ଞାତ ହୁଏ ସେହି ଦୁହିତା
ଦୁଇଟି କୂଳର ହିତରେ ତା’ର ପୂର୍ଣ୍ଣତା ।
ଦ୍ୱନ୍ଦର ଅଡୁଆ ଖିଅକୁ ଛେଦି
ସେ ପ୍ରସ୍ତୁତ ହୁଏ,
ଜୀବନ ସହିତ ସଂଗ୍ରାମ କରିବାକୁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top