କବିତା

ଶହେ ଜନ୍ମ ବି ଯଥେଷ୍ଟ ନୁହେଁ

Annapurna Mohanty’s odia poem Sahe janma bi jatheshta nuhen

ଦେଖିବାକୁ ବାକି ଅଛି
କେଉଁଦିନ ଟେଣ୍ଡର ପଡ଼ିବ
ପବନ, ଗଛ, ଛାଇ, ଗାଁ ନଈ
ଏସବୁ ଧରିନେବେ ବିଦେଶୀ ସ୍ୱଦେଶୀ
ହତବାକ୍, ଗାଁ ମାଟି, ମା’ ଭାଇ
ସେତେବେଳେ ।

ଶହେ ଜନ୍ମ ବି ଯଥେଷ୍ଟ ନୁହେଁ

ଶହେ ଜନ୍ମ ବି’
ଯଥେଷ୍ଟ ନୁହେଁ
ଜୀଇଁ ନେବାକୁ ଠିକ୍‌ରେ
ଏ ଭାରତ ମାଟିରେ !

ଫୁଲ ଫୁଟିଲା ପରି ଏଠି
ବୋମା ଫୁଟେ ଋତୁ ଅଋତୁରେ
ପୁରାପୁରି ନିଜକୁ ବିକିବାକୁ ପଡ଼େ
ଜୀଇଁବାର ଅଭିନୟ କରିକରି
ମୃତ୍ୟୁ ହାତେ ଧରା ହେବା ଯାଏ ।

ଜମି, ଜଳ, ଜଙ୍ଗଲ
ର’ମାନ ପଡ଼େ ନାହିଁ
କ୍ଷମତା, ନିଶାରେ !

ଦେଖିବାକୁ ବାକି ଅଛି
କେଉଁଦିନ ଟେଣ୍ଡର ପଡ଼ିବ
ପବନ, ଗଛ, ଛାଇ, ଗାଁ ନଈ
ଏସବୁ ଧରିନେବେ ବିଦେଶୀ ସ୍ୱଦେଶୀ
ହତବାକ୍, ଗାଁ ମାଟି, ମା’ ଭାଇ
ସେତେବେଳେ ।

ସେମାନେ ମଣିଷ ଲୋଡ଼ନ୍ତି ନାହିଁ
ଯନ୍ତ୍ର କରିଦେବ କାମ
ହୃଦୟ ବି ଦରକାର କ’ଣ
କମ୍ପ୍ୟୁଟର ନେବ ତା’ର ସ୍ଥାନ
ଗାଁ ବିଲ, ତୋଟାମାଳ
ତାଳ, ନଡ଼ିଆ, ଗୁଆର ଧାଡ଼ି ଧାଡ଼ି
ଗଛର ବଜାର,
ବଂଶୀସ୍ୱର, ନଈକୂଳ
କିଛି ଲୋଡ଼ା ନ ଥାଏ
ନିଜ ଭିତରେ ସବୁ ଏବେ ତ’ ଅସାର ।

ଯୁଦ୍ଧର ବିଗୁଲ୍ ଶୁଭୁଛି ତ ଶୁଭୁଥାଉ
ମୁର୍ହୁ ମୁର୍ହୂ ମରୁଥାଅ
ତୁଣ୍ଡେ କୁହ ଜୟ ସରକାର !

କେତେ ପ୍ରାଚୀନ ହେଲେ ବି ଦେଶ
କେତେ ସୁସଂସ୍କୃତ ହେଲେ ଏ ମାଟି
ଏ ତ’ ବିଦେଶୀଙ୍କ ବର୍ଷ ବର୍ଷ
ଖାସ୍ ମାହାଲ୍ ।

ଏତେ କଥା ଜଣା ଅଛି ତ ଥାଉ
ଆଖିରେ ଭରିନିଅ ସରକାରୀ ସ୍ୱପ୍ନ
ସେ ସ୍ୱପ୍ନରେ ସ୍ୱାଧୀନତା ବନ୍ଦୀ
ମାଆ ଆଖି, ମାଟି ଦେହ
ହରାଇ ନେବାକୁ ଏସବୁ ସେମାନଙ୍କ ଫନ୍ଦି ।

ଜମିଯାଉ, ଘର ବାଡ଼ି ଯାଉ
ତଥାପି ହସିବା ଆମେ
ସପନ ବୁଣିବା
ସବୁ ବିକି ଦେଲେ ବି ସରକାର୍‌
ରଖିଛନ୍ତି ଉତ୍ତର ପିଢ଼ି ନିମିତ୍ତ
ବଖୁରିଏ ଇନ୍ଦିରା ଆବାସ
ବି.ପି.ଏଲ୍., ଅନ୍ନପୂର୍ଣ୍ଣା, ଅନ୍ତୋଦୟ
ମଧୁସୂଦନ ଭତ୍ତା
କାମ ପାଇଁ ଜବ୍ କାର୍ଡ
ରହିଯିବା, ନ ରହିବା ପରି ଏଣେତେଣେ
ସବୁ ନେଉଛି ତ ନେଉ
ବିଦେଶୀ କି ଦେଶୀ ଦଲାଲ୍
ହୃଦୟ ତମର କିଏ ନେବ କି ଚୋରେଇ ?

କାହିଁକାଇଁ ଭୟପାଅ ଆହେ ପଶୁ ଦଳ ।।

ଲୋକପ୍ରିୟ ଲେଖା

To Top