କବିତା

ସମୁଦ୍ର ଡାକେ

ଯେତିକି ପ୍ରେମ, ଭୟ ସେତିକି
ମୁଁ ତଥାପି ଫେରି ଆସିବି
ତା’ ପାଖକୁ, ଦିନେ ସବୁକୁ ପଛ କରି ।

ସମୁଦ୍ର ଡାକେ

ଅପରାହ୍‌ଣର ଉଦାସୀ ବେଳେ
ସମୁଦ୍ର ଡାକିଲା
ଅନନ୍ତ ପ୍ରଶ୍ନରେ
ଆକାଶେ ଚମକ ବିଞ୍ଚି
ପଚାରିଲା ଶିଶୁଟିଏ ଭଳି
ଦୁଃଖ କ’ଣ ଯେ !

କଥା ହେବାକୁ
ଫିଟାଉ ଫିଟାଉ ଓଠ
ଲୋଟୁଥିଲା ହସରେ
ଖିଲି ଖିଲି ମଡ଼ାଣରେ
ଫୁଲେଇ ପଣରେ
ଦଉଡ଼ି ଆସୁଥିଲା ପାଖକୁ ।

ଓଦାବାଲିର ନ ଉଡ଼ିବା ନିଶାପରି
ମୁଁ ତାକୁ ଚାହିଁଥିଲି ଚୁପ୍‌ଚାପ୍‌
ଭୁଲିଥିଲି ଅସଂଖ୍ୟ ଲହରୀ ଭିଡ଼ରେ
ରାଶି ରାଶି ଦୁଃଖର ଗଜରା ।

ଅପୂର୍ଣ୍ଣତାରେ ସାରାକାଳ
ସମୁଦ୍ର ଶୋଷିଲା
ସତତ ସ୍ୱାର୍ଥୀ ପରି
ଗର୍ଭସ୍ଥ କରେ ଦୁନିଆ ବିଭବ
ନିଅଣ୍ଟପଣରେ ସବୁ ଅକୁଳାଣ ସତ୍ତ୍ୱେ
ସବୁ ଭିତରେ ସେ ନିର୍ଲିପ୍ତ ନିର୍ବିକାର ।

କେଉଁଠି ଗିଳିଦେଉଛି ଗାଁ ପରେ ଗାଁ ତ
ନିଜକୁ ଦୂରେଇ ନିଏ, କୂଳରୁ ମମତା
କେଉଁଠି ନିଷ୍ଠୁର ଗୋଟାପଣେ
କରୁଣାରେ ଛଳଛଳ ଅନ୍ୟ କାହାଠାରେ
ସବୁ ରଖିବି ପଛକୁ
ମୁଁ ଏମିତି ଆସୁଥିବି, ତା’ ଡାକରାରେ ।

ତା’ ପବନ ବାଉଳା କଲେ
ତା’ ଲହରୀ ହସ ବୁଣିଲେ
ତା’ ନୀଳରଙ୍ଗୀ ଦୁନିଆର
ହୀରାହାର ଯାଚୁଥିଲେ ।

ସ୍ୱପ୍ନଭର୍ତ୍ତି ନାରୀଟିଏ ପରି
ଫେରି ଆସୁଥିବି
ତା’ କୂଳକୁ
କହିବ ତ, ତା’ କୋଳକୁ ।

ଏ ଅପରାହ୍ଣ ନୀରବ ହେଉ କି ସରବ
ତା’ର ତ କାଳକାଳ ଗହଗହ ନାଦ
ଶୁଣାଏ ତା’ ଭିତର
ବିଭୋର ହେବାର ଗୀତ ।

ବାଲିରଡ଼ା, ବାଲିକଙ୍କଡ଼ା, ସିପଶାମୁକା ପରି
କେବେଠୁଁ ମିଶାଇ ସାରିଛି ତା’ ଭିତରେ
ମୋ ଉଦାସ, ବିଷାଦ, ଶୋକର ସାରାଂଶ
ତା’ କୂଳରେ, ବିଚିମାଳାରେ
ତା’ ସାଥେ ଓଦା ହେଲାବେଳେ ।

ଯେତିକି ପ୍ରେମ, ଭୟ ସେତିକି
ମୁଁ ତଥାପି ଫେରି ଆସିବି
ତା’ ପାଖକୁ, ଦିନେ ସବୁକୁ ପଛ କରି ।

ଗୋଟେ ମାନମୟୀ ପ୍ରେମିକାଟେ ପରି
ପତିବ୍ରତା ପତ୍ନୀଟିଏ ପରି
ରତ୍ନା ହୋଇ ରତ୍ନାକର ନାରୀ ମୁଁ
ରହିବି ତା’ ସାଥେ,
ସେ ଆଉଜେଇ ନେବ କି
ଫୋପାଡ଼ିବ
ସେ ଜାଣେ
ମୁଁ ଧରିଥିବି ତାକୁ, ମୃତ୍ୟୁକାଳରେ
ଜୀବନ ଧରିଲା ପରି ।

ଲୋକପ୍ରିୟ ଲେଖା

To Top