ମୁଁ ଏବେ
ସାଇତି ଦେଲିଣି ତତେ
ନିସ୍ତରଙ୍ଗ ଲୁହର
ସାତତାଳ ଦରିଆତଳେ
ଅଖୋଜା ମଣି ଫରୁଆରେ ।
ତୋ
ଯିବା ଆସିବା ବାଟକୁ
ଚାହିଁ ରହୁଥିବା
ଯୋଡ଼େ ଉଛୁଳା ଆଖି
ଓ ହଳେ ମୁକୁଳା କବାଟକୁ
ରଖାଥୁଆ କରୁଁ କରୁଁ
କେତେବେଳେ
କୋଉଠି ହଜେଇ ଦେଲି
ତୋ ଛାତିରେ
ନିଜକୁ ସମର୍ପିଦେବାର
ତିବ୍ର ବ୍ୟାକୁଳତା ।
ଆହା
ସେତକ ନଥିଲେ
ତୁ କ’ଣ ?
ମୋତି
କି ମାଣିକଟିଏ ତ !
ମୋ ପରି
ଭିଖାରୁଣୀର
ସାଧ୍ୟ କାଇଁ
ଚୁଡ଼ି, ହାର କି
ମଥାମଣିରେ ଖଞ୍ଜିବ !
ଫେରେଇଦେଲି
ସେ ଧନ
ଗଭୀରତମ ଲୋତକାର୍ଣ୍ଣବକୁ
ଦିନେ ଯୋଉଁଠୁ
ପାଇଥିଲି ମୁଁ ତାକୁ
ଆତ୍ମହତ୍ୟା କରିବାର
ପୂର୍ବ ମୁହୁର୍ତ୍ତରେ ।
ଶୁଣିଛି
ଏ ସମୁଦ୍ର
ହଜାଏନାହିଁ କିଛି ।
ହୁଏତ
କିଛିଦିନ ପରେ
ମୁଁ ହଜିଯାଇଥିବି
ସମୟର ଅନନ୍ତ ଗର୍ଭରେ ।
ନାରୀଟିଏ
ଯେତେବେଳେ ଆସି
ହାତଯୋଡ଼ି
ମୃତ୍ୟୁ ମାଗିବ ତାକୁ
ସେ ତତେହିଁ
ଫେରେଇଦେବ
ଛଳ ଛଳ ଜୀବନ ରୂପରେ ।