ଚିତା ଉଁଚର ଠେଙ୍ଗାକୁ ଧରି
ମାଗୁ ସାହୁର ଆଗରେ
ଲମ୍ୱା ଲମ୍ୱା ପାହୁଣ୍ଡ ପକାଇ
ଧପାଲି ଚାଲୁଥିବା
କଳା ମଚମଚ ମଣିଷଟି
ଶମ୍ଭୁ ଓଝା ।
ରାତିର କଳାରେ ସେ ମିଶିଯାଏ
ଦିନର ଖରାରେ ସେ ଚକ୍ ଚକ୍ କରେ,
ଠୋସ୍, ଠୋସ୍ କଥା କହେ,
ଦି’ଖିଲ ଜବର ପାନକୁ
ଚାକୁଳେଇ ସେ ଚାଲୁଥାଏ-
ମହାଜନଙ୍କ ପ୍ରତିଟି କଥାରେ
ମୁଣ୍ଡ ଟୁଙ୍ଗାରି
ହଁ ଭରୁଥାଏ ।
ଯୁଆନ ବଅସେ
ତା’ ଠେଙ୍ଗାରେ ଏତେ ଜୋର୍ ଥିଲା ଯେ
ଚୌରାଳିଶ ମୌଜା କମ୍ପୁଥିଲା,
ଠେଙ୍ଗାରେ ତେଲ ଘଷି
ଏବେ ବି ରଖିଛି ।
ଆଜି ହଠାତ୍
ମଶାଣିର ଜୁଇକି ଦେଖି
ଥମକି ଠିଆ ହେଲା,
ପଛକୁ ଚାହିଁଲା ମହାଜନେ ନାହାଁନ୍ତି
ସେ କେଉଁ କାଳୁ ଗଲେଣି
ଜମିଦାରୀ ସିରସ୍ତାରେ ଡୋରି ବାନ୍ଧି
ଶମ୍ଭୁ ଆଜି ଏକା
ମଶାଣିର ମଶାଣିଆ ଗନ୍ଧ
ତା’ ରକ୍ତରେ ମିଶିଯାଇ
ତାକୁ କାଲୁଆ କରିଯାଏ
ସମସ୍ତ ସାମର୍ଥ୍ୟ ତା’ର
ଧୂଆଁରେ ତରଳେ
ଶମ୍ଭୁ ଭାବେ-
ସେ ଏବେ କିଛି ନୁହେଁ
ଅପନ୍ତରା ମଶାଣି ପଡ଼ିଆ ।