କବିତା

ଶେଷ ଯାତ୍ରା

Matrudatta Mohanty's odia poem Shesha Jaatraa

ମୋତେ ପିନ୍ଧାଇ ଦେବନି ଦାମୀ ଫୁଲହାର,
ମୋ ନିର୍ଜୀବ ଦେହରେ ବୋଳିଦେବନି
ଲାଲ୍ ନୀଳ ରଙ୍ଗର ଅବିର ।
ମୋତେ ଭସେଇ ଦେବନି
ଘଣ୍ଟ ଘଣ୍ଟା ଢୋଲ ଅବା ଆତଶବାଜିର ଶବ୍ଦରେ ।

ଶେଷ ଯାତ୍ରା

ହେ ମୋର ଭାଇ ବନ୍ଧୁ
ଯେଉଁଦିନ ମୁଁ ଆଖି ବୁଜି ଦେବି
ମତେ ନେବନି ସଜେଇ
କେଉଁ ରାଜରାସ୍ତାର
ଚିକ୍‌କଣ ଦେହରେ ।

ମୋତେ ପିନ୍ଧାଇ ଦେବନି ଦାମୀ ଫୁଲହାର,
ମୋ ନିର୍ଜୀବ ଦେହରେ ବୋଳିଦେବନି
ଲାଲ୍ ନୀଳ ରଙ୍ଗର ଅବିର ।
ମୋତେ ଭସେଇ ଦେବନି
ଘଣ୍ଟ ଘଣ୍ଟା ଢୋଲ ଅବା ଆତଶବାଜିର ଶବ୍ଦରେ ।

ଦେହକୁ ମୋର ଢାଙ୍କିବନି
ମଖମଲି ନରମ କନାରେ,
ପାରିବ ତ ଯଦି ବୋହିନେବ ମୋତେ
ମୋ ଗାଁର ପାଦଚଲା ରାସ୍ତାରେ,
ସେ ପଥରୁ ଧୂଳି ମୁଠେ ଆଣି
ବୋଳିଦେବ ମୋ ନିସ୍ତେଜ ମୁହଁରେ,
ମୋ ଗାଁର ଅନାବନା ଗଛଟିରୁ
ରଙ୍ଗୀନ ଫୁଲସବୁ ତୋଳି ଆଣି,
ବିଞ୍ଚିଦେବ କୋକେଇରେ ମୋର ।

କେଉଁ ଏକ ଶୀତଳ ମୁହୂର୍ତ୍ତରେ
କୋଇଲିର କୁହୁ ସାଥେ ଥିବ
ବିଲୁଆର ହୁକେ ହୋ’ ରଡ଼ି,
ତା ସାଥେ ଗାଈଗୋଠର ବାହୁଡ଼ା ଚିତ୍କାର,
ଚଢେ଼ଇର କିଚିରି ମିଚିରି ଶବ୍ଦ,
ସେତେବେଳେ ମେଲାଣି ଦେବ ମୋତେ
ମୋ ଅନ୍ତିମ ଯାତ୍ରାର ।

ମୋ ଜେଜେବାପା ଅମଳର
ଧୋବ ଫରଫର ଲୁଗା ଖଣ୍ଡକୁ
ବିଛେଇ ଦେବ ଜୁଇରେ ମୋର,
ମୋତେ ଜାଳିଦେବ ମୋ ଗାଁର ଭୂଇଁରେ ।

ମରିକି ବି ମରିବିନି
ଜଳିକି ବି ଜଳିବିନି
ମିଶିଯିବି ମୋ ଗାଁର ପବିତ୍ର ମାଟିରେ ।
ଦେହ ମୋର ରହିଥିବ ସବୁଦିନ
ଗୋଡ଼ି, ମାଟି, ଅବା ଧୂଳିର ରୂପରେ ।

ଲୋକପ୍ରିୟ ଲେଖା

To Top