କବିତା

ଶିଥିଳ ଧାବକ

Rukeya Jabeen's odia poem Shithila Dhaabaka

ମୁଁ ଯେତେବେଳେ ଥିଲି ଚଳଚଞ୍ଚଳ, ଗତିଶୀଳ,
ଚେଷ୍ଟାରତ ଥିଲି ଅତିକ୍ରମ କରିଯିବାକୁ ତତେ
ସେତିକି ଦ୍ରୁତ ଗତିରେ ତୁ ଲଂଘି ଯାଉଥିଲୁ ମତେ,
ବେଳେବେଳେ ଆବାକ୍‌ ରହିଯାଉଥିଲି ମୁଁ,
ତୋ ନିଃଶବ୍ଦ ପ୍ରତିଉତ୍ତରରେ ।

ଶିଥିଳ ଧାବକ

ମୁଁ ଯେତେବେଳେ ଥିଲି ଚଳଚଞ୍ଚଳ, ଗତିଶୀଳ,
ଚେଷ୍ଟାରତ ଥିଲି ଅତିକ୍ରମ କରିଯିବାକୁ ତତେ
ସେତିକି ଦ୍ରୁତ ଗତିରେ ତୁ ଲଂଘି ଯାଉଥିଲୁ ମତେ,
ବେଳେବେଳେ ଆବାକ୍‌ ରହିଯାଉଥିଲି ମୁଁ,
ତୋ ନିଃଶବ୍ଦ ପ୍ରତିଉତ୍ତରରେ ।

ତେବେ ଆଜି କାହିଁ ଶିଥିଳ ପଡ଼ିଛୁ,
କେଉଁଠି ହଜିଛି ତୋ ପ୍ରଖରତା, ତୀବ୍ରତା,
ମୁଁ ସିନା ଅସହାୟ, ଅଚଳ, ଶଯ୍ୟାଶାୟୀ,
କିନ୍ତୁ ତୁ ଯେ ଚିର-ଧାବକ,
ବାଧ୍ୟନୁହେଁ ମଳିନ ପଡ଼ିବାକୁ ଦୁଃର୍ଭାଗ୍ୟର ବାହୁବଳେ ,
କି ଶରଣି ଯିବାକୁ ଘନ ବାଦଲ ତଳେ ।

ରେ ସମୟ, ତୁ ପୁଣି ଧାଇଁଯା
ଘଣ୍ଟାକୁ ମିନିଟ୍‌, ମିନିଟ୍‌କୁ ସେକେଣ୍ଡ,
ଦିବାକୁ ପାହାନ୍ତି, ନିଶିକୁ ସାନ୍ଧ୍ୟ ରୂପ ଦେଇ
ବୋହିନେ ମତେ ତୋ ସାଥେ
ମିଶିଯିବାକୁ ଦେ ଏ ପାଦ ତୋ ଛାୟା ପଥେ
କଟିଯିବାକୁ ଦେ ଦୀର୍ଘକାଳ ଅବଧି
କ୍ଷଣିକ ଅନ୍ତରାଳଟେ ହୋଇ ।

ମତେ ଯେ ଫେରିବାକୁ ଅଛି
ପୁଣି ସେଇ ଧାଁ, ଧପଡ଼ର ଜୀବନକୁ,
ଯୋଉଠି ଅପେକ୍ଷାରତ ମୋ କୁନି ତାରା
ହୃଦୟ ତା ବ୍ୟାକୁଳ ମୋ କୋଳେ ଝୁଲିଯିବାକୁ,
ପଣତ ଉଆଡ଼େ ଲୁଚିଯିବାକୁ ,
ନୟନେ ତା’ ପ୍ରତୀକ୍ଷା କେବଳ ମୋ ଆଗମନକୁ ।

ଲୋକପ୍ରିୟ ଲେଖା

To Top