କବିତା

ଶୂନ୍ୟ ଭାଗଫଳ

ଫିସାଦିରେ ଦେଶଟା
ଡୁବିଯିବା ପରେ
କେମିତି ଉଦ୍ଧାର ହବ
ଆମର ନୀରବିତ ପ୍ରଶ୍ନ
ଅବଶିଷ୍ଟ ଜୀବନ ?

ଶୂନ୍ୟ ଭାଗଫଳ

ରକ୍ତ ଜରଜର ଜୀବନ
ଗଳିତ ମାଂସ ପଳ
ଆଉ କେତେ ଦିନ
ସଂଭାଳିବ
ଶାଗୁଣା, ଶ୍ୱାପଦ
ମାନଙ୍କ ପଟୁଆର ?

ଫିସାଦିରେ ଦେଶଟା
ଡୁବିଯିବା ପରେ
କେମିତି ଉଦ୍ଧାର ହବ
ଆମର ନୀରବିତ ପ୍ରଶ୍ନ
ଅବଶିଷ୍ଟ ଜୀବନ ?

ଅଙ୍କ ପରେ ଅଙ୍କ
ବଦଳାଏ ଜୀବନ ନାଟକ,
ହେଲେ ଗ୍ରୀକ୍‌ଟ୍ରାଜେଡ଼ି
ରହିଛି ବେସଜଡ଼ା ହୋଇ !
କାହାର ମନ୍ଦିର ଲୋଡ଼ା
କାହାର ମସଜିଦ୍
କେଉଁଠି ରଥ ଅବା ଯଜ୍ଞ
ଏ ସବୁ ମଣିଷ ପାଇଁତ ?

ଭାବପ୍ରବଣତାରେ
ଭିଜିଯିବା ଓ ଭିଜିଯିବା
ମସ୍ତିଷ୍କକୁ ଶୂନ୍ୟ କରିବା
ପାଗଳାମୀ ନୁହେଁ,
ଇତିହାସ ପାଇଁ ଦାୟ
ଶକ୍ତ ଅପରାଧ ।

ଏଇ ଶୁଣ, ଗୈରିକଗୋଧୂଳିର
ଗୀତମୟ ଛନ୍ଦେ
ଶିଶିର ସ୍ରୋତ ଶେଷରାତ୍ର-ଡେଇଁଆସେ
ରକ୍ତଝରା ଭୋ’ର
ଏକ ସ୍ୱର୍ଣ୍ଣାଭ ସକାଳ ।

ଉଦାରତାର ଅହଂକାର
ଉଷ୍ଣତା ଓ ଉଲ୍ଲାସ ସଙ୍ଗେ
ଆସେ ପୁଣି ସାଗରିକ ଓଁକାର ।

ପ୍ରତ୍ୟେକ ଘରକୁ
ସଜାଇ ଦିଅ-
ମନ୍ଦିର-ମସ୍‌ଜିଦ୍
ଟଳିଯାଉ ଜିଦ୍‌ଖୋର-
ଲାଲ୍‌କିଲା,
ଜଳାଇ ଅନ୍ତରଦୀପାଳୀ
ସତକଥା କହିଦିଅ
ଯାହା ଦିନେ କହିଥିଲେ
ଯୀଶୁ ବୁଦ୍ଧ ଗାନ୍ଧି ।

ଭାଗ ଭାଗ କରନାହିଁ
ଈଶ୍ୱରଙ୍କୁ କେହିଁ
ଆମର ରକ୍ତକୁ
ଅଥବା ଅଢ଼େଇକୋଟି ରୁମକୁ ।

ସମସ୍ତଙ୍କର ଗୋଟିଏ ପଥ
ଗୋଟିଏ ରଥ
ଗୋଟିଏ ଶପଥ
ଏକାରଙ୍ଗର ରକ୍ତ
ଆମେ ଅବିଭକ୍ତ,
ଏକାନ୍ତ ଉଜ୍ଜ୍ୱଳ
ହୃଦୟ ସୀମାରେ
ଶୂନ୍ୟ ଭାଗଫଳ ।।

ଲୋକପ୍ରିୟ ଲେଖା

To Top