କବିତା

ଶ୍ରୀପାଦେ କରୁଛି ଲୁହରେ ପ୍ରଣାମ

Chandrasekhar Mishra's odia poem Shreepaade Karuchhi Luhare Pranaam

ହାଏ ମୋ ଜନନୀ କାହିଁ ମାରିଲାନି
ଜନ୍ମ ଅବସ୍ଥାରେ ସତେ…
ଆଜି ମୁଁ କହୁଛି ନେଇଯାଅ ପ୍ରଭୁ
ଏହି ମୂହୁର୍ତ୍ତରେ ମୋତେ ।

ଶ୍ରୀପାଦେ କରୁଛି ଲୁହରେ ପ୍ରଣାମ

ଜନନୀ ଗର୍ଭରୁ ଜନମ ହୋଇଣ
ସ୍ଥୁଳ ଶରୀର କୁ ନେଇ…
ଆସିଥିଲି ମୁହିଁ ଏ ଧରା ବକ୍ଷକୁ
ମୋ କଲା କର୍ମ ନେଇ ।

ପ୍ରାରବ୍ଧ କର୍ମର ପାପ-ପୁଣ୍ୟ ଫଳ
ଭୋଗିବାକୁ ଏହି ଜନ୍ମ…
ଅଭିଶପ୍ତ ମୁହିଁ ଜନମ ହୋଇଲି
ବୋହିଣ ଅନ୍ଧ ଜୀବନ ।

ହାଏ ମୋ ଜନନୀ କାହିଁ ମାରିଲାନି
ଜନ୍ମ ଅବସ୍ଥାରେ ସତେ…
ଆଜି ମୁଁ କହୁଛି ନେଇଯାଅ ପ୍ରଭୁ
ଏହି ମୂହୁର୍ତ୍ତରେ ମୋତେ ।

କିସ ତୁମ୍ଭ ଲୀଳା ଆହେ ଚକାଡୋଳା
କାହିଁ କର ହନ୍ତସନ୍ତ…
ଦୁନିଆ ବୁକୁରେ ହୀନ ପ୍ରାଣୀ ମୁହିଁ
ସମାଜ ଠାରୁ ବାଞ୍ଛିତ ।

କିସ ପାଇଁ ଦେଲ ଏମନ୍ତ ଶରୀର
ମାଗିଥିଲି କି ତୁମକୁ…
ଯଦି ଅବା ଦେଲ ଅନ୍ଧ କାହିଁ କଲ
ପଚାରି ଦେଖ ଆତ୍ମାକୁ ।

ଦିନର ଆଲୁଅ ରଜନୀ ଅନ୍ଧାର
ସବୁ ତ ସମାନ ମୋତେ…
ତୁମେ କି ଆସିବ ଲୁହକୁ ପୋଛିବ
ବୋହି ନେବ ତୁମ କାନ୍ଧେ ।

କାନ୍ଧରେ ବସାଇ ଯାତକୁ ଦେଖାଇ
କରାଇ ଶ୍ରୀକ୍ଷେତ୍ର ଦର୍ଶନ…
ପୁଣି ଛାଡିଦେଇ ଚାଲିଯିବ ପ୍ରଭୁ
ଆହେ କୋମଳ ଲୋଚନ ।

ଦେଖିକି ପାରିବି ମୁହିଁ, ନେଇ କି ପାରିବ ତୁମ୍ଭେ
ଦେଖିବାକୁ ତୁମ୍ଭ ଗୁଣ୍ଡିଚା ଯାତ…
ଆଶାର ଯେ ଅନ୍ତ ନାହିଁ, ଆଶାବାଦୀ ଅଟେ ମୁହିଁ
ଶ୍ରୀପାଦେ କରୁଛି ଲୁହରେ ପ୍ରଣାମ ।

ଲୋକପ୍ରିୟ ଲେଖା

To Top