କବିତା

ଷ୍ଟେସନ୍ ବଜାରର ସ୍ତ୍ରୀଲୋକ

Dr Dilip Kumar Swain's odia poem Shtesan Bajaarara Streeloka

ହେ ମିଛ ଚୁମ୍ୱନର ନାୟକ
ଥରେ ହାତରେ ବେଲୁନ୍ ଧରି ଆସ ।
ରାହା ଧରି ଥିବା ପୁଅ ମୋର ତୁନି ପଡ଼ିଯାଉ
ମୁହଁରୁ ଲିଭିଯାଉ କଳାଦାଗ ।

ଷ୍ଟେସନ୍ ବଜାରର ସ୍ତ୍ରୀଲୋକ

ଏଣେ ପୁରୁଣା ନୁହେଁ ଏ ଷ୍ଟେସନ୍
ଯେତିକି ଏ ଶାଳବଣ ।

ଦୂରରୁ ଶାଳଭଞ୍ଜିକା ପରି ଦିଶୁଥିବା ସ୍ତ୍ରୀଲୋକଟି
ପ୍ରକୃତରେ ଏକ ଭଙ୍ଗା ମନ୍ଦିର ପରି
ତା’ର ଯୌବନ ।

କନା ଓ କାଗଜର କୁନିପୁଅକୁ କାଖରେ ଜାକି
ସ୍ୱପ୍ନର ସିଂହାସନରେ ବସେ ସେହି ସ୍ତ୍ରୀଲୋକ
ଗୋଟାଏ ଆଭିଜାତ୍ୟରୁ ଛିଟିକି ଆସିଚି ସେ
ତୁଟି ଯାଇଚି ଦାମ୍ପତ୍ୟର ପାଣିକାଚ ।

ଷ୍ଟେସନ୍‌ରେ ରାତି ଆସେ
ପିଇ ପିଇ ଦେଶୀ ମଦ
ଶାଳପତ୍ରର ଶେଯ ଉପରେ
ସହବାସର ସରୀସୃପ ଭିଡ଼ିମୋଡ଼ି ହୁଏ
ତା’ ଦେହର ପାନ୍ଥଶାଳାରେ
ଲେଖା ହୁଏ ବାରପୁରୁଷର ନାଁ
ଅନ୍ଧାରର ଉହ୍ନେଇରେ
ବଢ଼ିଚାଲେ ପାପର ପ୍ରତିମା ।

ଟ୍ରେନ୍ ଆସିବା ଦେଖି
ଦୌଡ଼ିଯାଏ ଲୁହର ନର୍ମଦା
ଡଷ୍ଟବିନ୍‌ର ଏନ୍ତୁଡ଼ି ଭିତରେ
କାନ୍ଦୁଥାଏ ଭୋକର ଭରତ
କୁଆଁ କୁଆଁ ପ୍ରାର୍ଥନାରେ ଥରିଯାଏ ଷ୍ଟେସନ୍‌ବଜାର
ଭିଡ଼ ଭିତରେ ହଜିଯାଏ ରାତିର ନାୟକ ।

ହେ ମିଛ ଚୁମ୍ୱନର ନାୟକ
ଥରେ ହାତରେ ବେଲୁନ୍ ଧରି ଆସ ।
ରାହା ଧରି ଥିବା ପୁଅ ମୋର ତୁନି ପଡ଼ିଯାଉ
ମୁହଁରୁ ଲିଭିଯାଉ କଳାଦାଗ ।

ଲୋକପ୍ରିୟ ଲେଖା

To Top