କବିତା

ସ୍କେଚ ! ଏକ ପ୍ରଶ୍ନବାଚୀ ହୃଦୟର

Manjurani Mishra's odia poem Sketch Eka Prashnabachee Hrudayara

ବୁଢ଼ା ବାପ ଶ୍ୱାସ ଯୋଗୀ
ପ୍ରାପ୍ତ ବୟସ୍କା ଝିଅର ବୋଝ ବୋହି ବୋହି
ଅଣନିଶ୍ୱାସୀ ହୋଇଯାଏ ହରିଦାସ
ଆଉ ଯୌତୁକର ତାଲିକାକୁ ବାରମ୍ୱାର ପଢୁଥାଏ

ସ୍କେଚ ! ଏକ ପ୍ରଶ୍ନବାଚୀ ହୃଦୟର

ହରିଦାସକୁ ପଚାରିଲେ
ତା’ ମନର ପାଣ୍ଡୁଲିପି
କେଉଁଠୁ ସେ କହିବ ଉପକ୍ରମ ନା
ଉପସଂହାରରୁ
କେମିତି ମଣିଷଟିଏ ଯେ ସେ ହରିଦାସ
ସଂଳାପ ନ ଥିବା ଗଜଲ୍‌ଟିଏ
ଦୃଶ୍ୟମାନ ହେଉନଥିବା ନକ୍ସାଟିଏ
ସତରେ ତ ସେ କ’ଣ ଦେଇପାରିବ
ତା’ ମନର ଅତିରିକ୍ତ ଆଉଟା ସ୍ନେହ
ମାଗି ପାରିବକି ପିଆଲାଏ ଅନୁରାଗ
ସନ୍ଦେହରେ ଚାହିଁ ରହିଥିବେ ସାମୂହିକ ଶବ୍ଦମାନେ
ଓହରିଯିବ ହରିଦାସ
ତା’ର ଅଧାଗଢ଼ା ପୃଥିବୀଟିକୁ ସଜାଡୁଥିବ ଯେ ସଜାଡୁଥିବ
ସବୁ ଶ୍ୟାମଳ ସ୍ୱପ୍ନର ଟୁକୁରା
ତା’ ମୋଟା ପାପୁଲିରୁ ଖସି ପଡୁଥିବ
ଇତସ୍ତତଃ
ଆଉ ନାଲି ଫିତାର ଚାକିରୀ ତଳେ
ଭିଡ଼ି ମୋଡ଼ି ହେଉଥିବ ତା’ ଚାକିରୀର ବୟସ
କ’ଣ ବା କରିବ ଯେ ହରିଦାସ ଭଉଣୀ ଘରକୁ ଭାଇ ଯିବ
କୁମାର ପୂର୍ଣ୍ଣମା ଆଉ ଦିନ ଚାରିଟା ଗଲେ
ସାନପୁଅ ଯୁକ୍ତ ତିନି ବିଜ୍ଞାନ ଶ୍ରେଣୀର ଛାତ୍ର
ବୁଢ଼ା ବାପ ଶ୍ୱାସ ଯୋଗୀ
ପ୍ରାପ୍ତ ବୟସ୍କା ଝିଅର ବୋଝ ବୋହି ବୋହି
ଅଣନିଶ୍ୱାସୀ ହୋଇଯାଏ ହରିଦାସ

ଆଉ ଯୌତୁକର ତାଲିକାକୁ ବାରମ୍ୱାର ପଢୁଥାଏ
ତା’ର ମାସ ପୁରୁନଥିବା ଚାକିରୀ ଟଙ୍କାରେ
ପାଞ୍ଚପ୍ରାଣୀ କୁଟୁମ୍ୱ ପାଇଁ
ଅସମାପ୍ତ ଇଲାକାର ନିବୁଜ ଗୁମ୍ଫାରେ
ବଞ୍ଚିବାକୁ ଭିକ୍ଷା ମାଗୁଥିବ ଠାକୁରଙ୍କୁ
ହେମନ୍ତର ଆର୍ଦ୍ର ଗୋଧୂଳିରେ
ଗାଡ଼ିରେ ଫେରୁଥିବା ହରିଦାସ
ଗାଡ଼ିରେ ଜିନିଷ ଭର୍ତ୍ତି
ହାକିମଙ୍କ କଡ଼ା ମିଜାଜ୍
ତା’ ଚାକିରୀ ତ ସୂତା ଖିଅକରେ ଝୁଲୁଛି
ତଥାପି ସେ ସ୍ୱପ୍ନ ଦେଖେ
ଫାଳିକିଆ ଜହ୍ନ ଆଲୁଅରେ
ଯୁକ୍ତ ତିନି ବିଜ୍ଞାନ ପରୀକ୍ଷା କେତେ ଶୀଘ୍ର ସରିଯାଏ
ଭାର ବେଭାରରେ ଘର ପୁରେ
ତା’ ଘରଣୀ ଝିଅ ବିଦାକରେ
ଆକାଶ ଭର୍ତ୍ତି ଶ୍ୟାମଳ ଖୁସିରେ
ମାଇଲ ମାଇଲ ଫୁଲର ଅରଣ୍ୟ
ସବୁ ପ୍ରାପ୍ତିର ଆତ୍ମୀୟତା ସ୍ପର୍ଶରେ ଭିଜିଯାଏ ହରିଦାସ
ବାସ୍ତବତାର ଶିକୁଳି ଛିଡ଼ିଯାଏ କେଉଁଠି କେଜାଣି
ଭୁଲିଯାଏ ଜୀବନର ମାନଚିତ୍ର
ତା’ର ଅବର୍ତ୍ତମାନର ସାମ୍ରାଜ୍ୟରେ
ଏକାକୀ ସମ୍ରାଟ ସେ ଏକଛତ୍ର ଆଧିପତ୍ୟ
ଏକାକୀ ରାଜତ୍ୱ !

ଲୋକପ୍ରିୟ ଲେଖା

To Top