କବିତା

ସ୍ମୃତିରେ ଜେଜେ

Siba Sankar Sahu's odia poem Smrutire Jeje

ପାଟିରେ ଟିକେ ଦେ’ ନିର୍ମାଲ୍ୟପାଣି,
କିଏ ଜଣେ କହିଲେ
କୋକେଇ ସଜାଡ଼, ଡେରି ହଉଛି
ପିଲାଏ ଅଛନ୍ତି ଭୋକରେ !

ମୋର ବା କୋଉ କ୍ଲାସ ,
ଗାଁ ସ୍କୂଲରେ ପଞ୍ଚମ ,ଦାଦା ଆସି ଡାକିଲେ
ଘରେ ପହଞ୍ଚି ଦେଖେ ତ
ଜେଜେ ଚାଲିଗଲେଣି ,
ଚଳ ଚଞ୍ଚଳ ଦେହକୁ ଛାଡି, ଦୁଆର ଘରେ ।

ବାପାଙ୍କ ମୁହଁ ,
ମେଘଭର୍ତ୍ତି ଆକାଶ ଭଳି, କାନ୍ଦକାନ୍ଦ
ଅଥୟ ବୁଢ଼ୀ ମା ଜାକି ହେଇଯାଇଛି ଲୁହରେ ,
ବୁକୁଫଟା ବିଳାପରେ
ଦାଦାମାନେ ଓ ସାଇଭାଇ ବ୍ୟସ୍ତ
କୋକେଇ ସଜଡାରେ ।

ଜେଜେ ଶୋଇଛନ୍ତି ମହାନିଦ୍ରାରେ,
ଆଉ କିଛି ଲୋଡ଼ା ନାହିଁ,
ପାନଖିଆ ପାଟି, କୁଞ୍ଚକରା ଧୋତି
ଧଳା ଫରଫର ଗଞ୍ଜି ଅବା
ମାଛ, ଦି’ ସେରେ ।

ପାଟିରେ ଟିକେ ଦେ’ ନିର୍ମାଲ୍ୟପାଣି,
କିଏ ଜଣେ କହିଲେ
କୋକେଇ ସଜାଡ଼, ଡେରି ହଉଛି
ପିଲାଏ ଅଛନ୍ତି ଭୋକରେ !

ଲେଖା ହଉଚି ଚିଠି,
ଆସି ଚଳେଇନବ ଏ ଦୁର୍ବଳ କାର୍ଯ୍ୟ
ଅମୁକରେ ଦଶାହ, ସମୁକରେ ଗଙ୍ଗାଭୋଜି
ବନ୍ଧୁବାନ୍ଧବ ମେଳରେ ,
ଛିଟିକି ପଡେ କଥା କଟାକଟି
ଭାଗବଣ୍ଟ।ର ମନ୍ତ୍ରଣା ଲୁଚୁକାଳି ଖେଳେ ,
ଏଠି ସେଠି !!

 

ତମ ହାତଧରି କେତେଥର,
ଡୁବିଛି ଗାଁ ପୋଖରୀରେ , ଖାଇଛି
ତମ ସହ ଗୋଟେ ଥାଳିରେ
ଅଝଟ କରି ,
ଭାତ ସହ କଣ୍ଟାବଛା ମାଛ ବେସର ।

ମୋତେ ବୁଲେଇ ନବୁ ପୁରୀ, ଦ୍ୱାରକା
ଚାରିଧାମ, ବୁଢା କାଳେ,
ରଖିବୁ ପୁଅ କରି ତୋ ପାଖରେ ।
ଚାରିଧାମ , ବୁଢାକାଳ, ପୁଅ କରି ରଖିବା
କିଛି ନ ବୁଝି ବି
ହଲଉଥିଲି ମୁଣ୍ଡ , ମାଛ ଲୋଭରେ ।

ବଦଳିଛି ବହୁତକିଛି ସେବେଠୁ
କ୍ୟାଲେଣ୍ଡର, ଆୟୁଷ ମାଟିର ।
ବୁଢ଼ୀ ମା, ତା ପରେ ଆହୁରି କିଏ କେତେ
ଫେରିଲେଣି ଅଭିନୟ ସାରି,
ପୋତା ହେଲାଣି ଗାଁ ପୋଖରୀ ,
ଆମେ ସବୁ ଏବେ ସହର ମୁହାଁ
ଆଉ କିଏ ଅଛି ସଜ କରିବ ପାଲିଙ୍କି,
ଧାର କରିବ ତରବାରୀ ?

କଥା କଥାରେ ଡର ,
ପିଲାଏ ଉଡିଲେଣି ଆକାଶରେ ।
ସାନ ବଡ଼ ଭେଦଭାବ ନାଇଁ,
ନାଇଁ ଲକ୍ଷ୍ମଣ ଗାର ।
ଆଜି କାଇଁ ମନେ ପଡିଲ ଜେଜେ !
ମୋର ଏ ପରିଣତ ବୟସରେ,
ଏ ଅବେଳରେ, ଏ ଅକାଳରେ !!

ଲୋକପ୍ରିୟ ଲେଖା

To Top