କବିତା

ସ୍ପୃଶ୍ୟତାର ତନ୍ମୟ ପ୍ରତୀକ

Surendra Kumar Behera's odia poem Sprushyataara Tamnaya Prateeka

ଈଶ୍ୱର କ’ଣ
ରକ୍ତ, ମାଂସ , ହାଡ଼ର କୋଷରେ ଗଢ଼ା
କୋଉ ବରଦିଆ ଦେବତା
ଯେ ଛୁଇଁ ଦେଲେ,
ତାଙ୍କ ବଡ଼ପଣିଆ ମାରା ହୋଇଯିବ ?

ସ୍ପୃଶ୍ୟତାର ତନ୍ମୟ ପ୍ରତୀକ

ଦେଶୀ ହୁଅନ୍ତୁ କି ବିଦେଶୀ
ଛୁଆଁ ହୁଅନ୍ତୁ କି ଅଛୁଆଁ
ଈଶ୍ୱରଙ୍କୁ କ’ଣ …
ସ୍ପର୍ଶ କରିବା ମନା ?

ଉଚ୍ଚନୀଚର ପଥରରେ
ସବୁ ଭେଦା ଭେଦର
ପାହାଡ଼ ପରେ…ପାହାଡ଼ ଗଢ଼ି
ବିଶ୍ୱସନୀୟତାର ଏ ବଡ଼ଦାଣ୍ଡେ
ଜାତି, ବର୍ଣ୍ଣ ଆଉ ସଂପ୍ରଦାୟର
ମନଗଢ଼ା ମନ୍ତ୍ରରେ
ଜପ, ତପ ପୂଜା ଉପାସନା କରି ଧର୍ମର ଦଉଡ଼ିରେ
କେତେଦିନ ?
ଏମିତି ଟାଣି ଚାଲୁଥିବ ;
ବସୁଧୈବ କୁଟୁମ୍ବକମ୍‌ର
ସମ୍ମୋହନ ଗୀତ ଗାଉଥିବା
ନନ୍ଦିଘୋଷ ରଥ !

ଈଶ୍ୱର କ’ଣ
ରକ୍ତ, ମାଂସ , ହାଡ଼ର କୋଷରେ ଗଢ଼ା
କୋଉ ବରଦିଆ ଦେବତା
ଯେ ଛୁଇଁ ଦେଲେ,
ତାଙ୍କ ବଡ଼ପଣିଆ ମାରା ହୋଇଯିବ ?
ଆଉ କୋଉ ସଂପ୍ରଦାୟର ରଙ୍ଗ ଫିକା ପଡ଼ିଯିବ ??

ଈଶ୍ୱର ତ ପରମାଣୁଠାରୁ
କ୍ଷୁଦ୍ରାତିକ୍ଷୁଦ୍ର ବସ୍ତୁତ୍ୱହୀନ
ନିରାକାର ଅଦୃଶ୍ୟ ସୂକ୍ଷ୍ମ କଣିକାଟିଏ ;
ନା’ ଦେଖିହୁଏ
ନା’ ସ୍ପର୍ଶ କରିହୁଏ
ନା କାଷ୍ଠ, ପାଷାଣ ଅବା ମାଟିରେ
ମନୁଷ୍ୟରୂପୀ, ଭଳିକି ଭଳି ମୂର୍ତ୍ତି ଗଢ଼ି
ଅରୂପକୁ ଦିବ୍ୟ ରୂପ ଦେଇ ହୁଏ ?

ଈଶ୍ୱର ତ ବିଶ୍ୱବ୍ରହ୍ମାଣ୍ଡର
ସଚରାଚର ଜୀବଜନ୍ତୁ,
ଅସଂଖ୍ୟ ଅଗଣିତ ଗ୍ରହ, ଉପଗ୍ରହ,
ଆଉ ନକ୍ଷତ୍ରାଦିର ସୃଷ୍ଟି , ସ୍ଥିତି
ବିଲୟର ମୂଳ ଉତ୍ସଟିଏ !
ଜଗତ୍‌ରୂପୀ ରଥରେ
ଶାନ୍ତି, ମୈତ୍ରୀ ଓ ସଂହତିର
ମହାମନ୍ତ୍ର ଗାଇ ,
କୋଉ ଆବାହମାନକାଳରୁ
ସ୍ପର୍ଶ ଆଉ ଅସ୍ପର୍ଶର
ଉତ୍ତୁଙ୍ଗ ଶିଖରରେ
କେବଳ ପତିତପାବନବାନା ଉଡ଼ାଉଥିବା
ସକାଳ ସ୍ପୃଶ୍ୟତାର ମୂର୍ତ୍ତିମନ୍ତ ତନ୍ମୟ ପ୍ରତିକଟିଏ !!

ଲୋକପ୍ରିୟ ଲେଖା

To Top