କବିତା

ସୁବର୍ଣ୍ଣ ପ୍ରତିମା

Surendra Kumar Behera's odia poem Subarnna Pratimaa

କାରଣ ତମେ ଥିଲ ସକଳ
ସ୍ପୃଶ୍ୟତାର ସୁବର୍ଣ୍ଣ ପ୍ରତିମା
ଆଉ ମୁଁ. . . !

ସୁବର୍ଣ୍ଣ ପ୍ରତିମା

ତମେ, ତମେ ହୋଇ
ରହିବନି ବୋଲି
କହିଦେଲା ପରେ
ବୁଝିଗଲି, ମୁଁ ଆଉ. . .
ମୁଁ ହୋଇ ରହିବିନି,
କାହିଁକି ନା ତମ ହୃଦୟର
କଞ୍ଚା ମାଟିରେ ଗଜୁରି ଉଠିଥିବା
ଗଛଟାରେ ମୋ ପ୍ରେମ
ପତ୍ର, ଫୁଲ, ଫଳ ହୋଇ
ଚଉଦିଗ ମହକାଇ ଦେଇଥିଲା
ଆଉ ତମ ପ୍ରେମର ବୋଇତଟା
ମୋ ମନର ନୀଳ ନିବିଡ଼ ହ୍ରଦରେ
ଅହରହ ଭାସି ଚାଲିଥିଲା ।

ତମେ, ତମେ ହୋଇ ରହିଲନି
କି ମୁଁ ଆଉ ମୁଁ ହୋଇ. . . !
ଆପାତତଃ ନିଷ୍ପତ୍ତି ନେଇଗଲେ
ଆମେ ଆମେ ହୋଇଯିବା ।
କିନ୍ତୁ ଆମେ ଆମେ ହୋଇଯିବାର
ଭାଗ୍ୟ ଆମ ସହିଲାନି,
ସମୟର ସୁଅରେ ଅଚାନକ
ମାଡ଼ିଗଲା ଅଦିନିଆ ବନ୍ୟା ।
ଠେଲିଦେଲା କାଳ ସମୁଦ୍ରର
ଅତଳ ଗର୍ଭକୁ. . .
ବିଲୀନ ହୋଇଗଲା ଆମ,
ଆମେ ହୋଇଯିବାର ଦୁଃସ୍ୱପ୍ନ ।

କାରଣ ତମେ ଥିଲ ସକଳ
ସ୍ପୃଶ୍ୟତାର ସୁବର୍ଣ୍ଣ ପ୍ରତିମା
ଆଉ ମୁଁ. . . !
ଅସ୍ପୃଶ୍ୟତାର ନିଆଁରେ
ଡହ ଡହ ଜଳୁଥିବା ମାମୁଲି
ବେଙ୍ଗି ପିତ୍ତଳ ଖଣ୍ଡଟା ।।

ଲୋକପ୍ରିୟ ଲେଖା

To Top