କବିତା

ସୁନା ହରିଣୀ

Nrushingha Tarai's odia poem Sunaa Harini

ରଙ୍ଗ ଢାଙ୍କି ସୁବର୍ଣ୍ଣର
ମୋହଗ୍ରସ୍ତ ଆଖି ଓ ଆଶାରେ-ମନ ଭୁଲାଇଲା
ଜହ୍ନ ଓ ସମୁଦ୍ର ପରି
ମାୟାରେ ମୋହିଲା ।

ସୁନା ହରିଣୀ

ଫର୍ଣ୍ଣେସ୍‌ର ରଡ଼ ନିଆଁପରି
ହୁ’ ହୁ’ ଜଳୁଛି ସେ
ଦେହ-କ୍ଷୁଧା-ତାଡ଼ନାରୁ ମୁକ୍ତି ଲୋଡ଼େ
ସମୁଦ୍ରର ଅଶାନ୍ତ ଲହରୀ
ଅରଣ୍ୟେ ଅରଣ୍ୟେ
ଯାଏ ପଥ ଖୋଜି
ମୁକ୍ତି ନେବ ପାପ ଓ ପୁଣ୍ୟରୁ
ମୁକ୍ତି ନେବ ନିଶାଚରୀ
ସୁବର୍ଣ୍ଣ ଖୋଳରୁ
କାମନା ଓ ବାସନାର ରାଜ ଅନ୍ତପୁରୁ ।

ରଙ୍ଗ ଢାଙ୍କି ସୁବର୍ଣ୍ଣର
ମୋହଗ୍ରସ୍ତ ଆଖି ଓ ଆଶାରେ-ମନ ଭୁଲାଇଲା
ଜହ୍ନ ଓ ସମୁଦ୍ର ପରି
ମାୟାରେ ମୋହିଲା ।

ମାୟା-ମୃଗ-ମରୀଚିକା
ଭୁଲାଇଲା ସେ ରାଜନନ୍ଦିନୀ
ସ୍ୱାମୀ ଓ ସଂସାର ଥାଇ
ସେ ଏକ ରମଣୀ
ପ୍ରଲୁବ୍ଧ ଆକାଶ ତଳେ
ନାରୀ ଦେଲା ନାରୀତ୍ୱର ସ୍ପର୍ଶ
ରାମ ଓ ଲକ୍ଷ୍ମଣ ଗଲେ ଖୋଜି ଖୋଜି
ଘୋର ପ୍ରବଞ୍ଚନା
ସୁନାର ହରିଣୀ ।

ସହର ସମୁଦ୍ର ଡେଇଁ
ଡେଇଁ ରକ୍ତ ମାଂସର ମୁହୂର୍ତ୍ତ
ସମୟର ବାଲିବନ୍ଧ ଆଜି
ସେ ଯାଉଛି ଛୁଇଁବାକୁ
ଧନର ଧରିତ୍ରୀ
ଛାଡ଼ି ପଛେ ସ୍ୱାମୀ ଓ ଦିଅର
ମାଟିଘର, ଧାନଖଳା
ଚମ୍ପା ଆଉ ସଜନା ଗଛର ମୋହ
ପଞ୍ଚବଟୀ ପତ୍ର କୁଡ଼ିଆରୁ
ସିଂହଳ ଦ୍ୱୀପକୁ ।

ଈଶ୍ୱର ସେ ମୋହଗ୍ରସ୍ତ ପୁଣି ।
ମୋହଗ୍ରସ୍ତ ଆକାଶ-ଅରଣ୍ୟ
ପ୍ରଲୁବ୍ଧ ଧରଣୀ
ମାୟାମୃଗ ମାୟାରେ ମୋହିଲା
ଦେହର ଇସାରା ତା’ର
ଛଳନାରେ ମୁଗ୍ଧ କଲା ରାମ ଓ ଲକ୍ଷ୍ମଣ
ମୁଗ୍ଧ କଲା ସୁବର୍ଣ୍ଣର ଖୋଳ
ଆଗେ ରାମ ଧାଉଁଛନ୍ତି
ପଛରେ ସୌମିତ୍ରୀ
ସାମ୍ନାରେ ଦିଶୁଛି ଧୂଆଁ
ଆସୁଛି ବିପତ୍ତି
ସିଏ ନାରୀ, ମାୟାମୃଗ, ସୁନାର ହରିଣୀ ।

ଲୋକପ୍ରିୟ ଲେଖା

To Top