କବିତା

ସୁନାଝିଅର ସୀମିତ ପୃଥିବୀ

Anusuya Jena's odia poem Sunaajhiara Seemita Pruthibi

କେତେବେଳେ ସିଏ ରାଜଦୁଲ୍ଲଣୀ
କେତେବେଳେ ବୋଉର ଆକଟ ସହେ
ପାଠପଢ଼ା ଅଧାରୁ ଉଠି
ବାପାଙ୍କୁ ପାଣି ଗିଲାସେ ଦେବାକୁ ହୁଏ
ପରୀକ୍ଷା ପାଇଁ ବାହାରି ଯାଉ ଯାଉ

ସୁନାଝିଅର ସୀମିତ ପୃଥିବୀ

ସୁନାଝିଅ. . .

କୁଆଁ କୁଆଁ ରଡ଼ିରେ ନିଜର ଅସ୍ତିତ୍ୱ ଜାହିର୍ କରେ
ଜେଜେମା’ ପାଇଁ ଲକ୍ଷ୍ମୀ ସାନ୍ତାଣୀ
ବାପାଙ୍କ ପାଇଁ କିଛି ଆନନ୍ଦର ଫୁଆରା
ବୋଉ କିନ୍ତୁ କେଜାଣି କାହିଁକି
ଲୁଚି ଲୁଚି ଲୁହ ଢାଳେ
ଉପରକୁ ଚାହିଁ ଦୀର୍ଘଶ୍ୱାସ ନିଏ
ସୁନାଝିଅ ପୃଥିବୀକୁ ଆସେ । (୧)

ସୁନାଝିଅ. . .

କେତେବେଳେ ସିଏ ରାଜଦୁଲ୍ଲଣୀ
କେତେବେଳେ ବୋଉର ଆକଟ ସହେ
ପାଠପଢ଼ା ଅଧାରୁ ଉଠି
ବାପାଙ୍କୁ ପାଣି ଗିଲାସେ ଦେବାକୁ ହୁଏ
ପରୀକ୍ଷା ପାଇଁ ବାହାରି ଯାଉ ଯାଉ
ବୋଉର ପଛରୁ ଡାକ
ଟିକିଏ ଆଞ୍ଚ କମ୍ କରି ଯା’
ଭାତ ପାଣି ଚୁଲିରେ ପଶିଯାଉଛି ଯେ
ଭାଇ ପାଇଁ ଯେତେକ ଶୁଭ, ଅଶୁଭ, ସୁବିଧା, ଅସୁବିଧା
ସୁନାଝିଅ ପାଇଁ ଏସବୁର ମୂଲ କାହିଁ. . .
ସୁନାଝିଅ ବଡ଼ ହେଉଥାଏ । (୨)

ସୁନାଝିଅ. . .

ଆଖିରେ ଆଖିଏ ସ୍ୱପ୍ନ ପାଇଁ ଅଞ୍ଜନ ମାଖି
ଭାବନାର ସମୁଦ୍ରରେ
ନୀଳପରୀ ଭଳି ହାତ, ଗୋଡ଼ ହଲାଉଥାଏ
ପ୍ରଜାପତି ମନ ତାର
ଏ ଡାଳରୁ ସେ ଡାଳକୁ ଡିଆଁମାନେ
ହେଲେ କଅଁଳ ଡେଣାକୁ ମୋଡ଼ିମାଡ଼ି ଦେଇ
ବାକ୍ସ ଭିତରେ ବନ୍ଦ କରିଦେବାକୁ
କାଇଁ ଏଇ ଦୁନିଆଁକୁ ସମୟ ତ ଲାଗେନି । । (୩)

ସବୁ ସ୍ୱପ୍ନ, ଆଶା ତା’ର ଭସା ବାଦଲ
ସ୍ୱପ୍ନଭରା ଆଖି ମଳୁମଳୁ
କେତେବେଳେ ରାତି ପାହିଯାଏ
ଝିଅର ପୁଣି ଗୋଟେ ଇଚ୍ଛା ଅନିଚ୍ଛା କ’ଣ ଯେ ??
ବାପା, ଭାଇ ହାତର ସଖୀ କଣ୍ଢେଇ
କିଛି ନିଜ କଥା ଭାବିବା ଆଗରୁ
କେଉଁ ଅଜଣା ହାତରେ ତା’ ହାତ ବନ୍ଧା ପଡ଼ିଯାଏ । (୪)

ସୁନାଝିଅ ଆଉ ଝିଅ ନ ଥାଏ
ସୁନାବୋହୂ ହେବାର ଅଭିନୟରେ
କେତେବେଳେ ପୋଖତ ଅଭିନେତ୍ରୀ
କେତେବେଳେ ପୁଣି ଫିକା ଅଭିନୟରେ
ଦିନ ଗଡ଼ି ଚାଲିଥାଏ
ସମସ୍ତଙ୍କୁ ସୁଖୀ କରିବାର ଚେଷ୍ଟାରେ
ବାପା, ମା’ଙ୍କ ବିଦାୟ ବେଳାର
ଶେଷ କଥା ପଦରେ
ସୁନାଝିଅ ଜଳୁଥାଏ, ଜୀବନର ଅଗ୍ନିପରୀକ୍ଷାରେ । (୫)

କେତେ ସଫଳ ତା’ର ଅଭିନୟ
କିଏ କହିବ ??
ତା’ର ଭାଗ୍ୟ ନିୟନ୍ତା
ଅବା ତାକୁ ପୃଥିବୀର ଆଲୁଅ ଦେଖାଇଥିବା ମଣିଷ ।
ଚାରିପାଖର ସୀମିତ ପୃଥିବୀରେ
ଅଭିନୟ ଶେଷ କରି
କେଜାଣି ସୁଖରେ କି ଦୁଃଖରେ
ସୁନାଝିଅ ଦିନେ ବାହୁଡ଼ିଯାଏ
ଅଫେରା ରାସ୍ତାର ଯାତ୍ରୀ ସାଜି
ହେଲେ ସୁନାଝିଅର ସୁନାଦେହଟା
ମଶାଣିରେ ତଥାପି ଦିକ୍ ଦିକ୍ ଜଳୁଥାଏ ।

ଲୋକପ୍ରିୟ ଲେଖା

To Top