କବିତା

ସ୍ୱପ୍ନ ଦେଖୁଥିବା ସ୍ତ୍ରୀ ଲୋକ

Dr Dilip Kumar Swain's odia poem Swapna Dekhuthibaa Stree Loka

ରାତି ଆସୁ ଆସୁ
ତା’ ଦେହକୁ କଣା କରି
ଅମୃତ ତକ ପିଇ ଦେଇ
ଶୋଇଯାଏ କଳାଘୁମର ଦୈତ୍ୟ ।

ସ୍ୱପ୍ନ ଦେଖୁଥିବା ସ୍ତ୍ରୀ ଲୋକ

ନନ୍ଦିତା ରାତିରେ ସ୍ୱପ୍ନ ଦେଖେ
ସ୍ୱପ୍ନ ନୁହେଁ
ବିଳିବିଳାଏ ବିଛଣାରେ ।

ରାତି ଆସୁ ଆସୁ
ତା’ ଦେହକୁ କଣା କରି
ଅମୃତ ତକ ପିଇ ଦେଇ
ଶୋଇଯାଏ କଳାଘୁମର ଦୈତ୍ୟ ।

ନିଦତକ ସମୟ ନନ୍ଦିତାର ନିଜର
ଫ୍ରକ୍‌ ପିନ୍ଧି ସେ ଡେଇଁ ଡେଇଁ ଯାଏ ଧାନକ୍ଷେତ
ଖପରାଡିଆଁ, କଙ୍କିଧରାରେ
ବଢ଼ିଯାଏ ଦେହର ସ୍ଥାପତ୍ୟ ।
କଲେଜ କାନ୍ଥରେ କିଏ ଗାରେଇ ଦିଏ ତା ନାଁ
ତରୁଣଙ୍କର ତୃଷିତ ଓଠରେ
ଗୀତଟିଏ ହୋଇଯାଏ ସେ ।
ତା ନୋଟ ଖାତାରେ ଚିତ୍ର ଆଙ୍କି ଫେରେଇ ଦିଏ
ଅଭିମାନୀ ପ୍ରେମିକ ।

ଯିଏ ତାକୁ ଫୁଙ୍କି ଫୁଙ୍କି
ବେଲୁନ ପରି କଲା ଚିତ୍ରମୟ
କାହିଁ ସେ ?
ଓଠରେ ଓଠ ଘଷି
ଦେହସାରା ଲଗାଇଲା ନିଆଁ
କାହିଁ ସେ ?
ସିନ୍ଥିକୁ ସିନ୍ଦୂର ଦେବ
ଲମ୍ବା ବାଳକୁ ମଲ୍ଲୀମାଳ
ବାହୁ ଯୁଗଳର ବନ୍ଦୀଶାଳାରେ
ରଖିବ କାଳ କାଳ
କାହିଁ ସେ ?

 

ଏବେ ତ କଳାଷଣ୍ଢ
ପାକୁଳି କରୁଛି ସବୁଜ ଧାନକ୍ଷେତ
ତା’ ଖୋଜରେ, ଖୁରାରେ, ଖୁମାଣରେ
ଚୁମାରେ, ଚୋଟରେ
ତୁଟି ଯାଉଚି ପାଣିକାଚ ।
କଳା ମଚମଚ ଘୁଙ୍ଗୁଡିରେ
ଥରୁଚି ଶୋଇବା ଘର
ଅଧାଦିନ ନର୍କରେ ଅଧାରାତି ନିଦରେ
ଭାସିଯାଏ ସ୍ୱପ୍ନ ଦିନ ।

ଥରେ ଥରେ
ଅନ୍ଧାରର ଦର୍ଜା ଟପି କିଏ ଛୁଏଁ ତାର ଦେହ
ଶୂନ୍ୟତା ଶୁଭେ ସାହାନାଇ ପରି
ବେଣୀ ମୂଳେ ଆଙ୍କିଦିଏ ଚୁମା ଚିହ୍ନ
ଦେହରେ ଧୂନିଜଳେ
ମନଇଚ୍ଛା ପୁଇଁ ହୁଏ ନିଦରେ ନନ୍ଦିତା

ବିଛଣାରେ ବିଳିବିଳେଇବା
ଶୁଣିନିତ ଦୈତ୍ୟ
ଛାତିର ଝର୍କା ଖୋଲି
ଡେଇଁ ପଡିନି ତ ଦୁଃଖ ।
ଗୋଲାପୀ ଗୁମର ସବୁ
ଓହ୍ଲେଇ ଯାଇନାହାନ୍ତି ତ ଦେହରୁ ।

ଓଃ ! ବଡ଼ କଷ୍ଟ
ସିନ୍ଦୂର ପିନ୍ଧି ଗୋପନ ରଖିବା ସ୍ଵପ୍ନଦୋଷ
ସ୍ୱାମୀ ଛାତିରେ ମୁଣ୍ଡ ଗୁଞ୍ଜି
ତୁଣ୍ଡରେ ଧରିବା ଶ୍ୟାମ ଶ୍ୟାମ ।

ଆଜି ବୋଧେ ଅନ୍ୟ ରାତି ପରି
କଡ଼ ଲେଉଟାଇନି ଦୈତ୍ୟ
ସୁହାଗ ଶୃଙ୍ଗାର ସାରି
ରାତି ପାହିବା ପୂର୍ବରୁ
ଫେରିଯାଇଚି ପ୍ରିୟତମ ।

 

 

ଲୋକପ୍ରିୟ ଲେଖା

To Top