ଏ ତୃପ୍ତି କଣ ?
ଏ ଆନନ୍ଦ କଣ ?
ତୃପ୍ତି କଣ ପବିତ୍ର ମାତୃତ୍ତ୍ୱର ?
ଆନନ୍ଦ କଣ ପୂର୍ଣ୍ଣତାର ?
ନିଜ ରକ୍ତ, ମାଂସ,ଅସ୍ଥି, ମଜାରୁ ତିଆରି
ନିଜ ପରି ଆଉ ଏକ ନୂତନ ସୃଷ୍ଟି ଆଗମନର ?
ଲାଲ ରକ୍ତ ସମ ସରସର ଦେହ
ପାହୁଣ୍ଡ ପଡୁ ନ ଥିବା ଲଡ ଖଡ଼ କଅଁଳ ପାଦ
ନୀଳ ହ୍ରଦ ପରି ଗଭୀର ଦୁଇଟି ନେତ୍ର
କେଉଁ ଏକ ପରମ ତୃପ୍ତିରେ
ଛାତିରେ ଜାବୁଡି ଧରିଲି ତାକୁ
ସତେ ଅବା ସ୍ୱର୍ଗସୁଖ ପାଉଥିଲି ,
ମୋ ଦେହ ସାରା ଅପୂର୍ବ ଶିହରଣ
ପ୍ରତିଟି ଲୋମକୂପରେ ବିଚିତ୍ର ରୋମାଞ୍ଚ
ସ୍ତନରୁ ସ୍ୱତଃ ଝରି ପଡୁଥାଏ ଧାରା ଧାରା ଅମୃତ
କାହିଁ କଣ ହେଲା କେଜାଣି, କିଛି ତ ହେଲା
ସେ ଅମୃତର ଧାର …ଉଛୁଳା ସ୍ରୋତ ହୋଇ ଗଲା
ସେ ସ୍ରୋତ …. ନଈ ହୋଇଗଲା
ସେ ନଈ ପୁଣି ସମୁଦ୍ର ହୋଇଗଲା
ଆଉ ସେ ସମୁଦ୍ର… ବାଷ୍ପ ହୋଇଗଲା
ହଁ ସେ ସ୍ୱପ୍ନ ସବୁ ବାଷ୍ପ ହୋଇଗଲା
କାରଣ ସ୍ୱପ୍ନ ସବୁ ଥିଲା
ଏକ କନ୍ୟା ଆଗମନର
କାରଣ ସ୍ୱପ୍ନ ସବୁ ଥିଲା
ଏକ କନ୍ୟା ଆଗମନର
ଆଜି କାହିଁକି ଯେ ଏତେ ଭବାନ୍ତର
କାହିଁକି ମୁଁ ନିଜକୁ ଆଉଥରେ
ଜନ୍ମ ଦେଇ ପାରିବିନି
ଅଭିଶପ୍ତ ଜରାୟୁ ଭିତରେ ଲହଲହ
ଅଗ୍ନିଶିଖା ଆଉ ଜାଳି ପାରିବିନି
ଆଉ ଜାଳିପାରିବିନି ମୋର ନାରୀତ୍ତ୍ୱ,
ଜାଳିପାରିବିନି ମୋର ମାତୃତ୍ତ୍ୱ,
ଅବରୁଦ୍ଧ ଅନ୍ଧାରରେ କାହିଁକି
ଏତେ ଅଣନିଃଶ୍ୱାସୀ ହେବି
ଆଉ ପ୍ରହସନ କରିପାରିବିନି
ଏ ସବୁ ସହିବାର ମିଥ୍ୟା ଅଭିନୟ
ଏ ସବୁ ସହିବାର ମିଥ୍ୟା ଅଭିନୟ …